କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା

ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ଅର୍ଥନୀତିକୁ ସଜାଡ଼ିବାକୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଥିବା ବେଳେ ଫୋକସରେ ରହିଛି ଆର୍ଥିକ ସଂସ୍କାର।

କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ ଭଳି ୮ଟି କ୍ଷେତ୍ରରେ ସଂସ୍କାର ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ନିର୍ମଳା। ଏହି କ୍ଷେତ୍ରରେ ସରକାରଙ୍କ ଏକଚାଟିଆ ଅଧିକାରକୁ ହ୍ରାସ କରାଯିବା ସହ ବ୍ୟାବସାୟିକ ଖନନ ପାଇଁ ଅନୁମତି ଦିଆଯିବ।

ସେଥିଲାଗି ଆଗାମୀ ଦିନରେ ୫୦ଟି କୋଇଲା ଖଣି ପାଇଁ ଖୋଲା ଟେଣ୍ଡର ହେବ। ଯାହାଦ୍ୱାରା ଅଧିକରୁ ଅଧିକ ସଂସ୍ଥା ଓ ବ୍ୟକ୍ତି ବିଶେଷ ଏକ୍ଷେତ୍ରକୁ ଆସିପାରିବେ। କୋଇଲାରୁ ଗ୍ୟାସ ପ୍ରସ୍ତୁତିକୁ ବି ପ୍ରୋତ୍ସାହନ ଦିଆଯିବ।

ଖଣିଜ କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ। ଆଲୁମିନିୟମ୍ ଶିଳ୍ପର ବିକାଶ ଲାଗି ବକ୍ସାଇଟ୍ ଏବଂ କୋଇଲା ଖଣିର ଯୁଗ୍ମ ନିଲାମ ହେବ। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଗୋଳାବାରୁଦ କାରଖାନାର ଘରୋଇକରଣ ନ କରି ନିଗମୀକରଣ କରାଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯିବ।

ପିପିପି ମୋଡରେ ଦେଶରେ ଅଧିକ ବିଶ୍ୱସ୍ତରୀୟ ବିମାନବନ୍ଦର ନିର୍ମାଣ କରାଯିବ। ଭାରତୀୟ ବାୟୁସୀମା ବ୍ୟବହାର ପାଇଁ ଥିବା କଟକଣାକୁ ସରଳ କରାଯିବ। କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ବିଦ୍ୟୁତ ବିତରଣ କମ୍ପାନୀର ଘରୋଇକରଣ ହେବ ସେହିପରି ଆଣବିକ ଓ ମହାକାଶ ଗବେଷଣା କ୍ଷେତ୍ର ପାଇଁ ବି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ।

You might also like