ଏହି ସବୁ ଟିକାକୁ ଦେଶରେ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ପୁଣି ଆସିବ ନୂଆ ଟିକା?

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି। ଭାରତରେ ଏବେ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ଋଷର ଟିକା ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଟିକାର ଅଭାବ ଦୂର କରିବା ପାଇଁ ଆଗକୁ କେନ୍ଦ୍ର ସରକାର ଅନ୍ୟ ଦେଶରେ ମଞ୍ଜୁରୀ ମିଳିସାରିଥିବା ଏକାଧିକ ବିଦେଶୀ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେବାର ଯୋଜନା କରୁଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟର ସୂଚନା ଅନୁସାରେ, ଦେଶରେ ଅଧିକରୁ ଅଧିକ ଟିକାକୁ ଅନୁମତି ମିଳିଲେ କରୋନା ମହାମାରୀକୁ ପ୍ରତିହତ କରିହେବ।

ଏହାରି ମଧ୍ୟରେ ଚଳିତ ବର୍ଷ କିଛି ବିଦେଶୀ ଟିକାକୁ ମଞ୍ଜୁରୀ ଦେବାକୁ ସରକାର ଯୋଜନା କରିଛନ୍ତି, ସେଗୁଡ଼ିକ ହେଲା-ଜନସନ ଆଣ୍ଡ ଜନସନ, ଜାଇଡସ କାଡ଼ିଲା, ନୋଭାଭାକ୍ସ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାକରେ ଦିଆଯାଇପାରୁଥିବା ଟିକା। ବିଶେଷ କରି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଏଠାରେ ଟିକା ଅଭାବ ପାଇଁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇସାରିଲାଣି।

ତେବେ ଦେଶରେ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧,୭୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୩, ୬୦୪ ଜଣ, ଛତିଶଗଡରେ ୧୩,୫୭୬ ଏବଂ ଦିଲ୍ଲୀରେ ୧୧,୪୯୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଦେଶରେ ମୋଟ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଆକ୍ଟିଭ କେସ୍‌ ଅଛି ୧୨ ଲକ୍ଷ ୬୪ ହଜାର ୬୯୮ ଏବଂ ମୃତ୍ୟୁ ସଂଖ୍ୟା ରହିଛି ୧ ଲକ୍ଷ ୭୧ ହଜାର ୫୮ । ଏଯାଏଁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଜଣ କରୋନାରୁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ସୂଚନାଥାଉ କି, ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା। ଆଜିର ତଥ୍ୟ ଅନୁସାରେ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୫୮ ହଜାର ୧୪୮କୁ ବୃଦ୍ଧି ପାଇଥିବା ବେଳେ  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୭୨ ଲକ୍ଷ ୪୨ ହଜାର ୭୮୦ ଛୁଇଁଛି। କରୋନାରୁ ସୁସ୍ଥ ହେଲେଣି ୧୧ କୋଟି ୪ ଲକ୍ଷ ୨୧ ହଜାର ୯୪୮ ଜଣ। ଏହାସହ ରାଜ୍ୟରେ ମଧ୍ୟ କରୋନା ହୁ ହୁ ହୋଇ ବଢିବାରେ ଲାଗିଛି।

You might also like