ଲୋକପ୍ରିୟ ଶେୟାରିଂ ସାଇଟ୍‌ ‘ୱିଟ୍ରାନ୍ସଫର.କମ୍’ କୁ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ: ଲୋକପ୍ରିୟ ଶେୟାରିଂ ସାଇଟ୍ ‘ୱିଟ୍ରାନ୍ସଫର.କମ୍‌’ (Wetransfer.com)କୁ ବ୍ୟାନ୍ କଲା ଡଟ୍ (ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ)। ଜାତୀୟ ସ୍ୱାର୍ଥ ଓ ଜନସାଧାରଣଙ୍କ ଡିମାଣ୍ଡ ଯୋଗୁ ଏହି ସାଇଟ୍‌କୁ ବ୍ୟାନ୍ କରାଯାଇଥିବା କୁହାଯାଇଛି।

ମୁମ୍ବାଇ ମିରର ଖବର ଅନୁସାରେ, ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପାଇଁ ଡଟ୍‌ ଏକ ନୋଟିସ୍‌ ଜାରି କରିଛି। ଯେଉଁଥିରେ ୩ଟି ୟୁଆର୍‌ଏଲ୍‌ ବ୍ୟାନ୍ ହେବ ବୋଲି କୁହାଯାଇଛି। ଅନ୍ୟ ଦୁଇଟି ୟୁଆର୍‌ଏଲ୍‌ ସହିତ ସମ୍ପୂର୍ଣ୍ଣ ୱିଟ୍ରାନ୍ସଫର ୱେବ୍‌ସାଇଟ୍‌କୁ ବ୍ୟାନ୍‌ କରିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।

ୱିଟ୍ରାନ୍ସଫର୍‌ ଏକ ଲୋକପ୍ରିୟ ଶେୟାରିଂ ସାଇଟ୍‌। ସାରା ବିଶ୍ୱରେ ଏହାର ଲକ୍ଷ ଲକ୍ଷ ବ୍ୟବାହାରକାରୀ ଅଛନ୍ତି। ଲକ୍‌ଡାଉନ୍‌ ସମୟରେ ଏହାକୁ ଭାରତରେ ସର୍ବାଧିକ ବ୍ୟବହାର କରାଯାଇଛି। ଏହି ୱେବ୍‌ସାଇଟ୍ ୟୁଜର୍‌ଙ୍କୁ ବିନା କୌଣସି ଅଲଗା ଆକାଉଣ୍ଟ ନଖୋଲି ଏକାଥରକେ ପ୍ରାପକଙ୍କ ଇମେଲ୍‌କୁ ୨ଜିବି ଡାଟା ଟ୍ରାନ୍ସଫର୍‌ କରିବାକୁ ଅନୁମତି ଦେଇଥାଏ।

ତେବେ ଏହାର ଫ୍ରି ଓ ପେଡ୍ ପ୍ଲାନ୍ ମଧ୍ୟ ରହିଛି। କିନ୍ତୁ ଅଧିକାଂଶ ଯୁଜର୍‌ ଏହାର ଫ୍ରି ପ୍ଲାନ୍‌କୁ ବ୍ୟବହାର କରନ୍ତି। ଏଥିପାଇଁ ଏହା ଭାରତରେ ଅଧିକ ଲୋକପ୍ରିୟ ହୋଇପାରିଛି। ତେବେ କାହିଁକି ଏହି ସାଇଟ୍‌କୁ ବ୍ୟାନ୍‌ କରାଯାଇଛି ସେ ନେଇ ସରକାର କୌଣସି ସୂଚନା ଦେଇ ନାହାନ୍ତି।

 

You might also like