ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ

ନୂଆଦିଲ୍ଲୀ: ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି।

ସରକାରଙ୍କ ଘୋଷଣାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି । ତେବେ ସୁଭାଷ ବୋଷଙ୍କ ଜନ୍ମଦିନକୁ ଦେଶପ୍ରେମ ଦିବସ ଭାବେ ପାଳନ କରାଗଲେ ଅଧିକ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସେ କହିଛନ୍ତି, ସୁଭାଷ ବୋଷ ଭାରତର ମୁକ୍ତିଦାତା ଥିଲେ। ଜାନୁଆରୀ ୧୩ ତାରିଖକୁ  ଲୋକେ ‘ଦେଶପ୍ରେମ ଦିବସ ଭାବେ ପାଳନ କରନ୍ତି। ତଥାପି ସରକାରଙ୍କ ଏହି ଘୋଷଣାରେ ଆମେ ଖୁସି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତା ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମିତି ଗଠନ କରିଛନ୍ତି।  ଏଥିରେ ରାଜନେତାଙ୍କ ବ୍ୟତୀତ ଲେଖକ, ହିଷ୍ଟୋରିଆନ୍ ଓ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ପ୍ରତିଷ୍ଠିତ ଲୋକଙ୍କୁ ସାମିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯେଉଁ ପ୍ରମୁଖ ନାଁ ରହିଛି, ସେଥିରେ ସୁଭାଷ ଚନ୍ଦ୍ର ବୋଷ ଆଇଏନଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିୟର ଆରଏସ୍ ଚିକାରା, ହିଷ୍ଟୋରିଆନ୍ ଓ ଲେଖିକା ପୂର୍ବୀ ରାୟ, ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସଂଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍, ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ ସାମିଲ୍ ଅଛନ୍ତି।

ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଅଧିକାରୀ ସ୍ତରୀୟ ବିଜ୍ଞପ୍ତିରେ କୁହାଯାଇଛି, ଏହି ସମିତି୨୩ ଜାନୁଆରୀରୁ ଏକ ବର୍ଷ ପର୍ଯ୍ୟନ୍ତ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିବ। ଭାରତର ସ୍ୱାଧୀନତା ସଂଗ୍ରାମରେ ବୋସଙ୍କ ଭୂମିକାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କ ଜୟନ୍ତୀ ପାଳନ ପାଇଁ ନିଷ୍ପତି ନେଇଛି।

You might also like