ଡାକ୍ତରଙ୍କ ପାଇଁ ୧୦ ବର୍ଷ ସରକାରୀ ଚାକିରି ବାଧ୍ୟତାମୂଳକ, ମଝିରୁ ଛାଡ଼ିଲେ ୧ କୋଟି ଜରିମାନା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପିଜି କରିଥିବା ଡାକ୍ତରଙ୍କୁ ଅତି କମ୍ରେ ୧୦ ବର୍ଷ ସରକାରୀ ଚାକିରି କରିବାକୁ ପଡ଼ିବ। ଯଦି ଏହା ମଝିରେ ସେମାନେ ଚାକିରି ଛାଡନ୍ତି ତେବେ ସେମାନଙ୍କୁ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ ।
ସରକାରୀ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ନିଟ୍ରେ କୋହଳ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହାଦ୍ୱାରା ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ। ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ଡିସେମ୍ବର ୯ ତାରିଖ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନାଥାଉ କି, ସରକାରୀ ଡାକ୍ତରଖାନାରେ ପ୍ରାୟ ୧୫ ହଜାର ପଦ ସୃଷ୍ଟି କରାଯାଇଛି।୧୧ ହଜାର ଡାକ୍ତର ନିଯୁକ୍ତି ଦିଆଯାଇଛି। ଗ୍ରାମାଞ୍ଚଳର ସରକାରୀ ଡାକ୍ତରଖାନା ଗୁଡିକରେ ଏକ ବର୍ଷ ଚାକିରି କରିଥିବା ଏମବିବିଏସ ଡାକ୍ତରଙ୍କୁ ନିଟ ପିଜି ପରୀକ୍ଷା ପ୍ରବେଶ ପାଇଁ ପରୀକ୍ଷାରେ ୧୦ ମାର୍କ କୋହଳ କରାଯିବ। ଦୁଇବର୍ଷ ସେବା ଯୋଗାଇ ଥିବା ଡାକ୍ତରଙ୍କୁ ୨୦ ମାର୍କ ଏବଂ ତିନିବର୍ଷ ସେବା ଯୋଗାଇଥିବା ଡାକ୍ତରଙ୍କୁ ୩୦ ମାର୍କ ଛାଡ଼ କରାଯିବ। ଏଠି କହିରଖିବୁ ପ୍ରତିବର୍ଷ ସରକାରୀ ଡାକ୍ତରଖାନାର ଶତାଧିକ ଏମବିବିଏସ୍ ଡାକ୍ତର ପିଜିରେ ନାମ ଲେଖାଇଥାନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏକଥା ସ୍ପଷ୍ଟ ଉଲ୍ଲେଖ କରାଯାଇଛି, ପିଜି କରିବା ଡାକ୍ତରଙ୍କୁ ଅତି କମ୍ରେ ୧୦ ବର୍ଷ ସରକାରୀ ଡାକ୍ତରଖାନାରେ ସେବା ଦେବାକୁ ହେବ। ଯଦି ମଝିରେ ଚାକିରି ଛାଡ଼ିବାକୁ ଚାହିଁବେ ତେବେ ଏକ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେବେ।