ଆୟକର ରିଟର୍ଣ୍ଣ ଓ ଇପିଏଫ୍ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆୟକର କ୍ଷେତ୍ର ପାଇଁ ରିହାତି ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତ ଆୟକର ଦାଖଲର ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଟାକ୍ସ ଅଡିଟ୍ ଲାଗି ଥିବା ସମୟସୀମାକୁ ମଧ୍ୟ ୩୦ ସେପଟେମ୍ବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ।

ସେହିପରି ଚଳିତ ଆର୍ଥିକ ବର୍ଷ ଲାଗି TDS ଏବଂ TCS ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ଆସନ୍ତାକାଲିଠାରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।

ଅଣବେତନ ବାବଦ ଆୟରୁ ଯଦି ଆଗରୁ ୨୦ ପ୍ରତିଶତ ଟିଡିଏସ୍ କଟୁଥିଲା, ଏବେ ୧୫ ପ୍ରତିଶତ କଟିବ। ଏହାଦ୍ୱାରା ୫୦ ହଜାର କୋଟି ଟଙ୍କାର ଲିକ୍ୱିଡିଟି ଆସିବ।

ସେହିପରି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ କ୍ଷେତ୍ରରେ ମଧ୍ୟ ୨ଟି ବଡ଼ ଘୋଷଣା କରାଯାଇଛି। ଯେଉଁ ଘରୋଇ ସଂସ୍ଥାରେ ଶହେରୁ କମ୍ କର୍ମଚାରୀ ଥିବେ ଓ ଯେଉଁ କର୍ମଚାରୀମାନେ ୧୫ ହଜାର ଟଙ୍କାରୁ କମ୍ ପାଉଥିବେ, ସେଇ କର୍ମଚାରୀ ଓ ସଂପୃକ୍ତ ସଂସ୍ଥାଙ୍କ ଇପିଏଫ୍ ଦେୟ ସରକାର ୩ ମାସ ଲାଗି ବହନ କରିବାକୁ ଘୋଷଣା କରିଥିଲେ। ଏବେ ଏହାକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି।

ଏହାଦ୍ୱାରା ୩ ଲକ୍ଷ ୬୭ ହଜାର ସଂସ୍ଥାକୁ ୨୫ ଶହ କୋଟି ଟଙ୍କାର ଲିକ୍ୱିଡିଟି ସହାୟତା ମିଳିବ। ଅନ୍ୟପକ୍ଷରେ ଆସନ୍ତା ୩ ମାସ ଲାଗି ଅନ୍ୟ ଘରୋଇ ସଂସ୍ଥା ଓ ଏହାର କର୍ମଚାରୀଙ୍କ  ଇପିଏଫ୍ ଦେୟ ପରିମାଣ ୧୨ରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ତେବେ ସରକାରୀ ଉଦ୍ୟୋଗ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଅଂଶ ପୂର୍ବଭଳି ୧୨ ପ୍ରତିଶତ ରହିବ।

You might also like