କି ରୋଗ ହେଲା? ସକାଳୁ ଥିଲା ବାହାଘର ହେଲେ ପାଲିଙ୍କି ବଦଳରେ କୋକେଇରେ ଗଲା ପୁଅ

ପାଲିଙ୍କି ବଦଳରେ କୋକେଇରେ ଗଲା ପୁଅ

ଲକ୍ଷ୍ନୌ: ରାତି ପାହିଥିଲେ ପାଲିଙ୍କିରେ ବସିଥାଆନ୍ତ ପୁଅ କିନ୍ତୁ କୋକେଇରେ ଶୋଇଲା ପୁଅ। କଥାରେ ଅଛି ଦୈବ ଦେବ ଦୁଃଖ ତ କିଏ ବା କରିବ ଲାଘବ? ପୁଅର ବାହାଘର ପାଇଁ ପୂରା ଶେଷ ପର୍ଯ୍ୟାୟରେ ଥିଲା ପ୍ରସ୍ତୁତି। ଘର ସଜ୍ଜାଠାରୁ ଆରମ୍ଭ କରି ପାଲିଙ୍କି ସଜା ବି ସରିଥିଲା। ବନ୍ଧୁବାନ୍ଧବଙ୍କ ଗହଳିରେ ପୂରି ଉଠୁଥିଲା ଘର। ପୁଅ ବାହା ହେବ, ରାତି ପାହିଲେ ଘରେ ନୂଆ ବୋହୂ ପାଦ ଦେବ। ସମସ୍ତଙ୍କ ମନରେ ଥିଲା ଉତ୍କଣ୍ଠା। ସେପଟେ ବାଡ଼ୁଅ ପାଣିରେ ଗାଧୋଇବାକୁ ଅପେକ୍ଷା କରି ରହିଥିଲା ନବବଧୂ। ଶଳାବିଧା ମାରିବା ଲାଗି ପ୍ରସ୍ତୁତ ଥିଲା ଶଳା, ହାତଗଣ୍ଠି ଫିଟାଇବାକୁ ସ୍ୱପ୍ନ ଦେଖୁଥିଲା ଶାଳୀ। ସେପଟେ ନୂଆ ଭାଉଜ କଣ ନଣନ୍ଦ ପୁଟୁଳିରେ କଣ ଆଣିବ ସେନେଇ କେତେ ସ୍ୱପ୍ନ ଦେଖୁଥିଲା ନଣନ୍ଦ। କିନ୍ତୁ ସମସ୍ତଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ପୁଅର ସବାରୀ ଯିବା ପୂର୍ବରୁ ଉଠିଲା କୋକେଇ।

ଯେଉଁ ପୁଅ ପାଇଁ ପୂରା ପରିବାର ବର୍ଗ ଖୁସୀରେ କୁଣ୍ଢେମୋଟ୍‌ ହୋଇଥିଲା ସେ ପରିବାର ଆଖିରେ ଶୁଖୁନାହିଁ ଲୁହ। ଘର ଦ୍ୱାରେ ହୁଳହୁଳି ଶଙ୍ଖ ଧ୍ୱନି ବଦଳରେ ସୁବୁଛି କାନ୍ଦବୋବାଳି। ସକାଳ ହେଲେ ମାଆ କାନିରେ କନକଆଞ୍ଜୁଳି ଦେଇ ବାହା ହେବାକୁ ଯାଇଥାଆନ୍ତା ହେଲେ ୬ ଖଣ୍ଡ ବାଉଁଶରେ ଶ୍ମଶାନକୁ ଗଲା ପୁଅ। ପୁଅର ମରିବା ଖବର ଶୁଣି ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ, ଛାତି ବାଡ଼େଇ କାନ୍ଦୁଛି ବାପା। ଝୁରି ହେଉଛନ୍ତି ପରିବାର ଲୋକେ ଓ ସାହି ପଡ଼ିଶା।

ତେବେ ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଗୋରଖ ପୁରରେ। ପିପିଗଞ୍ଜ ଅଞ୍ଚଳ ରାମୁଘାଟ ଗାଁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂହଙ୍କ ଏକ ମାତ୍ର ପୁଅ ପ୍ରଶାନ୍ତର ବାହାଘର ପାଇଁ ପୂରା ପ୍ରସ୍ତୁତି ସରିଥିଲା। ଏପ୍ରିଲ ୨୬ ତାରିଖରେ ପୁଅର ତିଳକ ବି ହୋଇଛି। ଆଉ ଆଜି ବାହାଘର ହୋଇଥାଆନ୍ତ। ହେଲେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲା ପୁଅ ପ୍ରଶାନ୍ତ। ଏହାପରେ ତାଙ୍କୁ ଗୋରଖପୁରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ବି ହୋଇଯାଇଥିଲେ। ହେଲେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାର ଗୋଟିଏ ଦିନ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲା ପୁଅ ପ୍ରଶାନ୍ତ। ତେବେ କେଉଁ ରୋଗରେ ସେ ପୀଡ଼ିତ ଥିଲେ ସେନେଇ କୌଣସି ସୂଚନା ଡାକ୍ତରଖାନା କିମ୍ବା ତାଙ୍କ ଘର ଲୋକଙ୍କଠାରୁ ମିଳିପାରିନାହିଁ। ହେଲେ ଏହି ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳେଇ ଦେଇଛି।

You might also like