ଗୋରଖପୁରର କୁନି ଉଦ୍ୟୋଗୀ

ଅଦୃଶ୍ୟ ଶତ୍ରୁର ଭୟ ଭିତରେ ସ୍ୱପ୍ନର ଉଡ଼ାଣ ଭରିଲେ ଅଷ୍ଟମ ଶ୍ରେଣୀର ଛାତ୍ର, ଲକଡ଼ାଉନରେ ଏଲଇଡ଼ି ଲାଇଟ୍ ତିଆରି ଶିଖିବା ସହ ନିଜସ୍ୱ କମ୍ପାନୀ ପ୍ରତିଷ୍ଠା କଲେ ଅମର ପ୍ରଜାପତି

  • ଜୁନିୟର ସାଇଣ୍ଟିଷ୍ଟଙ୍କ ବଡ଼ କାରନାମା
  • ଭାଇରସ ଭୟ ଭିତରେ ସ୍ୱପ୍ନର ଉଡ଼ାଣ ଭରିଲେ
  • ଅଷ୍ଟମ ଶ୍ରେଣୀର ଛାତ୍ର ଅମର ପ୍ରଜାପତି ତିଆରି କରିପାରୁଛନ୍ତି ଏଇଇଡ଼ି ବଲ୍ବ  
  • ମାତ୍ର ପାଞ୍ଚ ଦିନରେ ଶିଖିଲେ ପାଞ୍ଚ ପ୍ରକାର ଏଇଇଡ଼ି ବଲ୍ବ ତିଆରିର କୌଶଳ

ଗୋରଖପୁର : ଅଦୃଶ୍ୟ ଭୂତାଣୁ ଭୟରେ ହୋଇଥିବା ଲକଡାଉନ୍ ଅନେକ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଥିଲା। ହେଲେ ଏହି ଅଜଣା ବ୍ୟାଧିର ଆତଙ୍କ ଭିତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସ୍ୱପ୍ନର ପ୍ରାସାଦ ତିଆରି କରିବାରେ ସଫଳ ହୋଇପାରିଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟ ଛାତ୍ର ଅମର ପ୍ରଜାପତି । ଲକଡାଉନ୍ ନିରାଶା ଭିତରେ ସେ ଉତ୍ତରପ୍ରଦେଶ ଗୋରଖପୁରର ସହରର ସବୁଠାରୁ କନିଷ୍ଠ ଉଦ୍ୟୋଗୀ ହୋଇପାରିଛନ୍ତି ।

 

ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ପ୍ରଭାବିତ ହୋଇ ବାପାଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇ ନିଜସ୍ୱ କମ୍ପାନୀ ନିର୍ମାଣ କରିଛନ୍ତି । ବର୍ତ୍ତମାନ ନିଜ କମ୍ପାନୀରେ ମା’ଙ୍କୁ ଏମଡ଼ି କରିବା ସହ ଚାରି ଜଣଙ୍କୁ କର୍ମସଂସ୍ଥାନ ଯୋଗାଇଛନ୍ତି।  ପ୍ରତିକୂଳ ପରିସ୍ଥିତିରେ ହାର ନମାନି ମାତ୍ର ପାଞ୍ଚ ଦିନ ତାଲିମ ନେବା ପରେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି । ଏପ୍ରିଲ ମାସରେ ଅମର ମାତ୍ର ପାଞ୍ଚ ଦିନ ମଧ୍ୟରେ ଉଦ୍ୟୋଗୀ ବିବେକ ସିଂଙ୍କ ଠାରୁ ପାଞ୍ଚ ପ୍ରକାରର ଏଲଇଡି ଲାଇଟ୍ ତିଆରି କରିବାର କୌଶଳ ଶିଖିଯାଇଥିଲେ। ଦୃଢ଼ ଇଚ୍ଛାଶକ୍ତି ବଳରେ ଅଳ୍ପ ସମୟରେ ହିଁ  ୭ ୱାଟର ବଲ୍ବ, ୯ୱାଟର ବଲ୍ବ ,  ସିଲିଂ ସଜାଇବା ଲାଇଟ୍ ଏବଂ ଲଣ୍ଠନ ତିଆରି କରିବା ଶିଖିପାରିଛନ୍ତି ।

ଏବେ ଅମର ଗୋରଖପୁର ଉଦ୍ୟୋଗ ବିକାଶ ସଂସ୍ଥାନରୁ କଞ୍ଚାମାଲ ମଗାଉଛନ୍ତି । କମ୍ପାନୀ ଆରମ୍ଭ କରିବା ପରେ ଅଳ୍ପ ଅଳ୍ପ ଏଲଇଡ଼ି ଲାଇଟ୍ ତିଆରି କରୁଥିଲେ । କିନ୍ତୁ  ବର୍ତ୍ତମାନ ସେ ପ୍ରତିଦିନ ୫୦୦ରୁ ୭୦୦ ‌ଏଲଇଡ଼ି ଲାଇଟ୍ ତିଆରି କରୁଛନ୍ତି । ନିଜର ବାପାଙ୍କ ନାମରେ ନିଜର କମ୍ପାନୀ  ଜୀବନ ପ୍ରକାଶ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ପଞ୍ଜିକୃତ କରାଇ ସାରିଛନ୍ତି । ତେବେ ନିଜେ ଏଲଇଡ଼ି ଲାଇଟ୍ ତିଆରି କରିବା ସହ ଏବେ ସେ ଚାରି ଜଣଙ୍କ ପରିବାରକୁ ରୋଜଗାର ମଧ୍ୟ ଯୋଗାଉଛନ୍ତି ।

କମ୍ପାନୀ ଖୋଲିବା ପାଇଁ ଅମରଙ୍କୁ ପରିବାର ପୂର୍ଣ୍ଣ ସମର୍ଥନ ମିଳିଥିଲା । ଅମର କହିଛନ୍ତି, ଆରମ୍ଭରେ ତାଙ୍କ ବାପା କମ୍ପାନୀରେ ୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ଏବଂ ବର୍ତ୍ତମାନ ସେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିସାରିଛନ୍ତି । ତେବେ ସବୁଠାରୁ ଖୁସିର ବିଷୟ ହେଲା ଏହି କୁନି ଉଦ୍ୟୋଗପତି ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ବିକ୍ରୟ କରି ୨.୫ ଲକ୍ଷ ଟଙ୍କା ଲାଭ କରିସାରିଛନ୍ତି। ବଜାରରେ ଅନେକ ବଡ ବଡ କମ୍ପାନୀର ଉତ୍ପାଦ ବିକ୍ରି ହେଉଥିବା ବେଳ ନିଜ ସାମଗ୍ରୀର ଗୁଣବତ୍ତାରେ କୌଣସି ବୁଝାମଣା କରିନାହାନ୍ତି ବୋଲି କହନ୍ତି କୁନି ଉଦ୍ୟୋଗୀ ।

ଅମରଙ୍କ କମ୍ପାନୀର ମ୍ୟାନେଜର ଏବଂ କର୍ମଚାରୀ କହନ୍ତି, ତାଲାବନ୍ଦ ସମୟରେ ଅମରଙ୍କ ପିତା ଫୋନ୍ କରି ପୁଅର କମ୍ପାନୀ ସମ୍ପର୍କରେ ବୁଝାଇଥିଲେ । ପୁଅ ଏଲଇଡି ଲାଇଟ୍ ତିଆରି ପାଇଁ ତାଲିମ ନେଇଛି ଏବଂ ସେ କମ୍ପାନୀ ଖୋଲିବାକୁ ଚାହୁଁଛି ବୋଲି କହିଥିଲେ । କରୋନା କାଳରେ ରୋଜଗାର ନଥିବାରୁ କାମର ଅଫର ଆସିବା ପରେ ସେମାନେ  କମ୍ପାନୀରେ କାମ କରିବାର ସୁଯୋଗ ପାଇବାରୁ ଖୁସି ହୋଇଯାଇଥିଲେ ।  ସମସ୍ତଙ୍କ କଠିନ ପରିଶ୍ରମ ଦ୍ୱାରା କମ୍ପାନୀର କାମ ଭଲ ଚାଲିବା ସହ ଭଲ ରୋଜଗାର ହେଉଥିବା କଥା କହିଛନ୍ତି ।

You might also like