ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ ନୂଆ ନିୟମ ମାନିବାକୁ ଅମଙ୍ଗ ହେଉଛି ମାଇକ୍ରୋ ବ୍ଲଗିଂ କମ୍ପାମୀ ଟ୍ୱିଟର । କେନ୍ଦ୍ରର ନୂତନ ନିର୍ଦ୍ଦେଶାବଳୀକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ସମସ୍ତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସାରିଥିବା ବେଳେ ଟ୍ୱିଟର ଏପର୍ଯ୍ୟନ୍ତ ସରକାରୀ ଗାଇଡଲାଇନ୍ ମାନିବାକୁ ରାଜି ହେଉନାହିଁ ।

ଗୁଗୁଲ୍, ଫେସବୁକ୍, ହ୍ୱାସଟସଆପ୍, ଶେୟାରଚାଟ, ଟେଲିଗ୍ରାମ ଏବଂ ଲିଙ୍କଡଇନ୍ ପରି ଅଧିକାଂଶ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା ୨୦୨୧ର ମଧ୍ୟବର୍ତ୍ତୀ ଗାଇଡଲାଇନ ଅନୁଯାୟୀ କାମ କରିବାକୁ ଆଗଭର ହୋଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟକୁ  ସେମାନଙ୍କର ମୁଖ୍ୟ ଅଧିକାରୀ, ନୋଡାଲ୍ କଣ୍ଟାକ୍ଟ ପର୍ସନ୍ ଏବଂ ଅଭିଯୋଗ ଶୁଣୁଥିବା ଅଧିକାରୀଙ୍କ ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । ନୂତନ ଆଇଟି ନିୟମରେ ସ୍ପଷ୍ଟ କରାଯାଇଛି, ବଡ ସୋସିଆଲ ମିଡିଆ ପ୍ଲାଟଫର୍ମର ଏହି ଅଧିକାରୀମାନେ ଭାରତୀୟ ନାଗରିକ ହେବା ଉଚିତ୍।

ଗାଇଡଲାଇନର ପାଳନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଫେସବୁକ୍ ଓ ଗୁଗଲ । ମିଥ୍ୟା, ବିବାଦୀୟ ଓ ଭ୍ରମାତ୍ମକ ତଥ୍ୟ ରୋକିବା ଓ କୌଣସି ଦେଶର ଆଇନକୁ ସମ୍ମାନ ଦେବା ଲକ୍ଷ୍ୟରେ କଂପାନି ପ୍ରଦାନ କରୁଥିବା ସେବା ଓ ଏହାର ମାନବସମ୍ବଳରେ ନିୟମିତ ପରିବର୍ତ୍ତନ ଜାରି ରଖିଥାଏ ବୋଲି କହିଛନ୍ତି ଗୁଗୁଲ ମୁଖପାତ୍ର । ସ୍ବଚ୍ଛତା ରକ୍ଷା ଓ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିରାପଦ ରଖିବା ଲାଗି କଂପାନୀ ଏହାର କାର୍ଯ୍ୟଶୈଳୀକୁ ଅଧିକ କ୍ରିୟାଶୀଳ କରିବ । ସେହିପରି ସରକାରଙ୍କ ଗାଇଡଲାଇନ ପାଳନ ଲାଗି ପଦକ୍ଷେପ ନିଆ ଯାଉଥିବା ଫେସବୁକ୍ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ନୂଆ ନିୟମ ପାଳନ ଲାଗି କିଛି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଇନଷ୍ଟ୍ରାଗ୍ରାମ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ ଜେଲ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧ ସଂପର୍କିତ ସୂଚନାକୁ ପ୍ରଥମେ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ସଂପର୍କରେ ସରକାରଙ୍କୁ ତଥ୍ୟ ଦେବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଡିଲିଟ୍ କରିବା ପୂର୍ବରୁ ସୋସିଆଲ ମିଡିଆ କଂପାନିଙ୍କୁ ଉଚିତ କାରଣ ସହ ପଦକ୍ଷେପ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଇବାରୁ ପଡିବ । ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ଆପତ୍ତିଜନକ ଓ ଅପରାଧିକ କାର୍ଯ୍ୟ କଳାପ ରୋକିବା ପାଇଁ ଲାଗୁ ସରକାର ଆଣିଥିବା ନୂଆ ଗାଇଡଲାଇନରେ ଏଭଳି ବ୍ୟବସ୍ଥା ରହିଛି ।

You might also like