ଯେତେବେଳେ ଇନ୍ଦିରା ଭୟଭୀତ ଅବସ୍ଥାରେ ଥିଲେ, ଅଟଳଜୀ ତାଙ୍କ ଘରେ ପହଞ୍ଚି କହିଥିଲେ….

ନୂଆଦିଲ୍ଲୀ: ଆଜି ଅର୍ଥାତ୍‌ ଡିସେମ୍ବର ୨୫ ସାରା ବିଶ୍ୱ ପାଳନ କରୁଛି ମେରୀ ଖ୍ରୀଷ୍ଟମାସ। ଭାରତରେ ବି ଏହି ପର୍ବ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି। ତେବେ ଖ୍ରୀଷ୍ଟମାସ ସହ ଆଜି ଆଉ ଏକ ଦିବସ ଭାରତରେ ପାଳନ କରାଯାଉଛି ତାହା ହେଉଛି ସୁଶାସନ ଦିବସ ବା Good Governance Day। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ୨୦୧୪ରୁ ଏହି ଦିବସ ପାଳନ କରାଯାଇ ଆସୁଛି।

ଅଟଳଜୀ ଭାରତର ଜଣେ ଅଭିଜ୍ଞ ଏବଂ ବିଶିଷ୍ଟ ରାଜନେତା ଥିଲେ। ଏଥିସହିତ ଜଣେ ଲୋକପ୍ରିୟ ଲେଖକ ମଧ୍ୟ। ସେ ଭାରତର ୧୦ମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ କାହିଁକି ଏହି ଦିନକୁ ସୁଶାସନ ଦିବସ ଭାବେ ପାଳନ କରାଗଲା ? କ’ଣ ଅଛି ଏହା ପଛର କାହାଣୀ ଜାଣନ୍ତି ?

୨୦୧୪ ଡିସେମ୍ବର ୨୩ ତାରିଖ ଅଟଳ ବିହାରୀ ବଜପାୟୀ ଏବଂ ପଣ୍ଡିତ ମୋହନ ମାଲବୀୟଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ନେଇ ଘୋଷଣା କରାଗଲା। ଏହି ଘୋଷଣା ପରେ ମୋଦି ସରକାର ଘୋଷଣା କରିଥିଲେ କି, ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମଦିନକୁ  ଭାରତ ପ୍ରତିବର୍ଷ ସୁଶାସନ ଦିବସ ଭାବେ ପାଳନ କରିବ। ହେଲେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ଏହାକୁ ନେଇ ଆଲୋଚନା କରିଥିଲା। କ୍ରିଶମାସ ସହ ଏହି ଦିବସକୁ ସରକାରୀ କାର୍ଯ୍ୟଦିବସ ରୂପେ ଘୋଷଣା କରିବା ପାଇଁ ସରକାର ଏହି ଦିନକୁ ସୁଶାସନ ଦିବସ ଘୋଷଣା କରିଛନ୍ତି।

ଆଜି ଅଟଳଜୀଙ୍କ ଜନ୍ମଦିନରେ ତାଙ୍କ ଜୀବନର କିଛି ସ୍ମରଣୀୟ କଥା କହିବୁ।

୧୯୭୭ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଥିଲେ ବାଜପାୟୀ। ବୈଦେଶିକ ମନ୍ତ୍ରୀ ହେବା ପରେ ସେ ପ୍ରଥମେ ପହଞ୍ଚିଥିଲେ ଇନ୍ଦିରା ଗାନ୍ଧିଙ୍କ ଘରେ। ଇନ୍ଦିରା ଏବଂ ତାଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେନି। ଇନ୍ଦିରା ଏବଂ ତାଙ୍କ ପରିବାରର ବଡ଼ ଭୟ ଥିଲା, କାଳେ ଲୋକଙ୍କ କ୍ରୋଧ ଉଗ୍ର ରୂପ ନେବ ଏବଂ ଲୋକେ ତାଙ୍କୁ ପିଟି ହତ୍ୟା ନ କରିବେ !

ଅଟଳଜୀ ଇନ୍ଦିରାଙ୍କ ଘରକୁ ଯିବା ପୂର୍ବରୁ ଦେଶାଇଙ୍କ ଅନୁମତି ନେଇଥିଲେ। ଅବଶ୍ୟ  ଏଥିପାଇଁ ଦେଶାଇଙ୍କୁ ବହୁତ ବୁଝାଇବାକୁ ପଡ଼ିଥିଲା। ବାଜପାୟୀ ଇନ୍ଦିରାଙ୍କ ଘରକୁ ଯିବା ପରେ ତାଙ୍କୁ କହିଥିଲେ, ତାଙ୍କ ସହ ଉଚିତ୍‌ ବ୍ୟବହାର କରାଯିବ ଏବଂ କ୍ଷମତାସୀନ ଦଳର କୌଣସି ନେତା ତାଙ୍କୁ ବା ତାଙ୍କ ପରିବାର ବିରୋଧରେ ହିଂସାକୁ ପ୍ରଶ୍ରୟ ଦେବେ ନାହିଁ।

ପ୍ରକୃତ କଥା ହେଲା, ଇନ୍ଦିରା ଗାନ୍ଧିଙ୍କ ପ୍ରତି ଲୋକଙ୍କ କ୍ରୋଧ ଏତେ ଅଧିକ ଥିଲା ଯେ, ସାମାନ୍ୟ ପ୍ରୋତ୍ସାହନ ଦେଶରେ ଅରାଜକତା ସୃଷ୍ଟି କରିଥାନ୍ତା। ଲୋକ ଆଇନକୁ ବି ନିଜ ହାତକୁ ନେଇଥାନ୍ତେ। କେବଳ ଦିଲ୍ଲୀରେ ଏମର୍ଜେନ୍ସି ସମୟରେ କେବଳ ଦିଲ୍ଲୀରେ ୨୦, ୦୦୦ରୁ ଅଧିକ ଲୋକ ନିର୍ଯାତନାର ଶିକାର ହୋଇଥିଲେ।

ତେବେ ଅଟଜୀଙ୍କ ଏହି କଥା ଇନ୍ଦିରାଙ୍କ ପ୍ରତି କେବଳ ଆଶ୍ୱାସନା ନ ଥିଲା, ଥିଲା ପ୍ରତିଶ୍ରୁତି। ଏ କଥା ‘ଦ ଅନଟୋଲ୍‌ଡ ବାଜପାୟୀ’ରେ ଉଲ୍ଲେଖ ରହିଛି। ସେ ସବୁବେଳେ କହୁଥିଲେ, ସଂସଦରେ ସେ ଇନ୍ଦିରା ଗାନ୍ଧିଙ୍କର ସବୁଠାରୁ କଠୋର ସମାଲୋଚକଙ୍କ ମଧ୍ୟରେ ଜଣେ। କିନ୍ତୁ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା।

ଇନ୍ଦିରାଙ୍କ ମୃତ୍ୟୁ ଖବର ପାଇବା ପରେ ଅଟଳଜୀ କହିଥିଲେ, ‘ମୁଁ ଯେତେବେଳେ ଇନ୍ଦିରାଙ୍କୁ ଭେଟିଛି, ଅନୁଭବ କରିଛି,କେମିତି ଏକ ଅଜ୍ଞାତ ଭୟ ତାଙ୍କୁ ଘେରି ରହିଛି। ତାଙ୍କ ମନର କୌଣସି ଏକ କୋଣରେ ଅସୁରକ୍ଷାର ଏକ ଭୟ ରହିଛି। ସମସ୍ତଙ୍କ ଉପରେ ନଜର ରଖିବା, କାହାକୁ କିଛି ଖୋଲି ନ କହିବା, ସାରା ଦୁନିଆ ତୁମ ବିରୋଧରେ ଷଡଯନ୍ତ୍ର ରଚୁଥିବାର ଭାବନା ରଖିବା..ଏସମସ୍ତ କଥାକହୁଛି କି ଇନ୍ଦିରାଜୀଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବୁଝିବାକୁ ହେଲେ ଏହି ମନୋବୃତ୍ତର ଗଭୀର ବିଶ୍ଳେଷଣ କରିବା ଉଚିତ୍‌।’

୧୯୮୦ ଡିସେମ୍ବରରେ ବାଜପାୟୀ ବମ୍ବେ ଅଧିବେଶନରେ ବାଜପାୟୀ ଯୋଗ ଦେଇଥିଲେ। ଏହି ଅଧିବେଶନରେ ସାରା ଭାରତର ୫୦ ହଜାରରୁ ଅଧିକ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ଦଳୀୟ ନେତାଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ। ଭାଷଣ ମଝିରେ ବାଜପାୟୀ କିଛି କିଛି ସମୟ ଚୁପ୍‌ ରହନ୍ତି। ଚୁପ ପରେ କହୁଥିବା ପ୍ରତିଟି ଶବ୍ଦ ଥାଏ ଓଜନଦାର। ଭାଷଣ ଆରମ୍ଭରେ ଥବା ତାଙ୍କର ଶାନ୍ତ ସ୍ୱରରେ ଜୋଶ ଧୀରେ ଧୀରେ ବଢୁଥିଲା। ପ୍ରତିଟି ବାକ୍ୟ ଥିଲା ପୂର୍ବ ବାକ୍ୟଠାରୁ ଦମ୍‌ଦାର, ଓଜନଦାର…। ଶେଷରେ ସେ କହିଲେ- ‘ଅନ୍ଧାର ଦୂର ହେବ’। କିଛି ସମୟ ଚୁପ୍‌ ପରେ ପୁଣି କହିଥିଲେ ‘ ସୂର୍ଯ୍ୟ ଉଇଁବ’। ପୁଣି କିଛି ସମୟ ଅଟକି ଥିଲେ। ଆଉ ଯେତେବେଳେ ସେ କହିଥିଲେ -‘ ପଦ୍ମ ହସିବ’..ତାଳିମାଡରେ ଉଛୁଳି ପଡ଼ିଥିଲା ସଭାସ୍ଥଳୀ। ଲୋକଙ୍କର ଏହି ଉଚ୍ଛ୍ୱାସ ବନ୍ଦ ହେଉ ନ ଥାଏ। ଲୋକଙ୍କୁ ଶାନ୍ତ ହେବାକୁ କିଛି ମିନିଟ ଲାଗିଥିଲା।  ବାଜପାୟୀଙ୍କର ଏହି ଭାଷଣ ପରବର୍ତ୍ତୀ ସମୟରେ ବିଜେପିର ସ୍ଲୋଗାନ ହୋଇ ଯାଇଥିଲା।

ଲୋକସଭାରେ ବିଜେପି ଦଳ ନେତା ଭାବେ ବଜପାୟୀ ଚାହୁଁଥିଲେ ବିଜେପି ଦଳ ଉଗ୍ର ପରିଚୟ ତ୍ୟାଗ କରୁ। ତାଙ୍କର ଏହି ଚିନ୍ତାଧାରାକୁ ଲୋକେ ବୁଝି ପାରିଥିଲେ ଯେତେବେଳେ ସେ ବମ୍ବେ  ଅଧିବେଶନରେ ମହମ୍ମଦ କରୀମ ଛାଗଲାଙ୍କୁ  ମୁଖ୍ୟ ଅତିଥିଭାବେ  ଆମନ୍ତ୍ରଣ କରିଥିଲେ। ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭାବେ ବହୁତ ସମ୍ମାନ ଥିଲା।

ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଦଙ୍ଗା ଉଗ୍ର ରୂପ ନେଇଥିଲା। ସେତେବେଳେ ବାଜପାୟୀ ରାଇସିନା ରୋଡରେ ରହୁଥିଲେ। ଘର ବାହାରେ ଯେତେବେଳେ ପାଟି ଶୁଣିଲେ,ସେ ବାହାରକୁ ଚାଲି ଆସିଲେ । ଦେଖିଲେ, ଜଣେ ଶିଖ୍‌ ଡ୍ରାଇଭରଙ୍କୁ ଗୁଣ୍ଡାମାନେ ନିର୍ଦ୍ଦୟ ଭାବେ ପିଟୁଛନ୍ତି। ବିକଳ ହୋଇ ଜୀବନ ଭିକ୍ଷା କରୁଥାଏ ଡ୍ରାଇଭରଟି। ଗୁଣ୍ଡାମାନଙ୍କ ହାତରେ ଥାଏ ଖଣ୍ଡା, ପେଟ୍ରୋଲ ଏବଂ ଠେଙ୍ଗା।

ବାଜପାୟୀ ଭିଡ ଭିତରେ ପହଞ୍ଚିଗଲେ। ଡ୍ରାଇଭର ଏବଂ ଗୁଣ୍ଡାମାନଙ୍କ ମଝିରେ ଛିଡ଼ା ହୋଇ କହିଲେ, ‘’ଆପଣମାନେ ମୋ ଶବ ଉପରେ ଯାଇ ତାଙ୍କ ଉପରେ ଆକ୍ରମଣ କର।’ ଗୁଣ୍ଡାମାନେ ତାଙ୍କୁ ସେଠାରୁ ଚାଲିଯିବାକ କହିଥିଲେ। ବାଜପାୟୀଙ୍କ ସୁରକ୍ଷା କର୍ମୀ ପୋଲିସକୁ ଫୋନ କରି ଜଣାଥିଲା। ଯଦି ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବ ତେବେ ସ୍ଥିତି ସୁଧୁରି ଯିବ। ପୋଲିସ ଆସିବା ପର୍ଯ୍ୟନ୍ତ ବାଜପାୟୀ ଶିଖ୍‌ ଡ୍ରାଇଭରଙ୍କ ଲୋକଙ୍କ କବଳରୁ ରକ୍ଷା କରିଥିଲେ। ପୋଲିସ ଆସିବା ପରେ ଗୁଣ୍ଡା ଶ୍ରେଣୀୟ ଲୋକମାନେ ଇତଃସ୍ତତ ହୋଇ ପଳାଇ ଯାଇଥିଲେ।

 

 

 
You might also like