ଆହୁରି କମିପାରେ ସୁନା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା ବୃଦ୍ଧି ସହ ୪୬,୩୧୪ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ପ୍ରତି କିଲୋଗ୍ରାମକୁ ୪୨୨ ଟଙ୍କା ବୃଦ୍ଧି ସହ ୬୯,୪୩୪ ଟଙ୍କାରେ କାରବାର ଚାଲିଥିଲା। ହେଲେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଡଲାର ମୂଲ୍ୟରେ ହ୍ରାସ ଓ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ସୁନା କାରବାରରେ ବୃଦ୍ଧି ଘଟିଛି। ଆଉ କିଛି ଏକ୍ସପର୍ଟ କହିଛନ୍ତି, ଆଗାମୀ ଦିନରେ ସୁନା ଦର ୪୫ ହଜାର ଟଙ୍କା ତଳକୁ ହ୍ରାସ ପାଇପାରେ। ଆଗାମୀ ଦିନରେ ସୁନା ଦର ପ୍ରତି ounceକୁ ପାଖାପାଖି ୧୭୫୫ରୁ ୧୭୮୨ ଡଲାର, ଯାହାକି ଭାରତରେ ୪୫,୭୦୦ ଟଙ୍କାରୁ ୪୬,୩୦୦ ଟଙ୍କା ମଧ୍ୟରେ ରହିପାରେ। ଆଜି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦରରେ କିଛି ସୁଧାର ଦେଖିବାକୁ ମିଳିଛି।

ଗତ ସପ୍ତାହରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଦିଲ୍ଲୀ ସର୍ରାଫା ବଜାରରେ ଗତ ସୋମବାରଠୁ ସୁନା ଦର ହ୍ରାସ ଘଟି ଶୁକ୍ରବାର ପର୍ଯ୍ୟନ୍ତ ଏହା ଜାରି ରହିଥିଲା। ଦିଲ୍ଲୀ ସର୍ରାଫା ବଜାରରେ ଗତ ଶୁକ୍ରବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୨୩୯ ଟଙ୍କା ହ୍ରାସ ପାଇ ୪୫,୫୬୮ ଟଙ୍କାରେ ପହଞ୍ଚିଥିଲା।

ଗତ ସପ୍ତାହରେ ସୁନା ଦର ୨.୩ ପ୍ରତିଶତ ଅର୍ଥାତ୍‌ ୧,୧୦୦ ଟଙ୍କା ହ୍ରାସ ପାଇଥିଲା। ଶୁକ୍ରବାର MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୯୧୦ ଟଙ୍କା ଥିଲା। ଗତ ବର୍ଷ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଗତ ୬ ମାସରେ ସୁନା ଦର ୯ ହଜାର ଟଙ୍କା ହ୍ରାସ ପାଇଛି।

You might also like