ଗୋଆ ବିଜେପି ସରକାରକୁ ଝଟକା, ଏନଡିଏରୁ ଅଲଗା ହେଲା ଜିଏଫପି…

ଗୋଆରେ ବିଜେପିକୁ ଝଟକା। ଏନଡିଏରୁ ଅଲଗା ହେଲା ଜିଏଫପି। ଗୋଆ ଫରୱାର୍ଡ ପାର୍ଟି ପକ୍ଷରୁ ଆସିଲା ବଡ଼ ଅଭିଯୋଗ। ଗୋଆରେ ବିଜେପି ଗୋଆ ବିରୋଧୀ ନୀତି ଆପଣାଉଛି ବୋଲି ଅଭିଯୋଗ କରିଛି ଗୋଆ ଫରୱାର୍ଡ ପାର୍ଟି। ଦଳ ପକ୍ଷରୁ ସିଧାସଳଖ ଅରୋପ ଲଗାଯାଇଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗୋଆ ବିରୋଧୀ ନୀତି ଆପଣାଉଛି। ଏଭଳି ଅଭିଯୋଗ କରିବା ସହ ଦଳ ମଙ୍ଗଳବାର ଗୋଆରେ ଏନଡିଏଠାରୁ ଅଲଗା ମଧ୍ୟ ହୋଇଯାଇଛି। ତେବେ ଜିଏଫପି ଏନଡିଏରୁ ଅଲଗା ହେଲେ ମଧ୍ୟ ବିଜେପିର ପ୍ରମୋଦ ସାୱନ୍ତ ସରକାର ପ୍ରତି କୌଣସି ପ୍ରଭାବ ପକାଇପାରିବ ନାହିଁ। କାରଣ ଜିଏଫପିର ମାତ୍ର ତିନି ଜଣ ବିଧାୟକ ରହିଛନ୍ତି। ତେଣ ଏଠାରେ ସରକାର ପରିବର୍ତ୍ତନର କୌଣସି ଆଶଙ୍କା ବି ନାହିଁ।

୨୦୧୭ ରେ, ମନୋହର ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ପାଇଁ ଜିଏଫପି, ଏନଡିଏକୁ ସମର୍ଥନ କରିଥିଲା। ତେବେ ୨୦୧୯ ରେ ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱାଧୀନ ସରକାରରେ ଜିଏଫପିର ତିନିଜଣ ମନ୍ତ୍ରୀଙ୍କୁ ସ୍ଥାନ ମିଳିନଥିବାରୁ ଦୁଇ ଦଳର ସମ୍ପର୍କରେ ତିକ୍ତତା ଆସିଥିଲା। ଏହା ପରଠାରୁ ଦୁଇ ଦଳଙ୍କ ରାସ୍ତା ଭିନ୍ନ ହୋଇଯାଇଥିଲା।

ଜିଏଫପିର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଏବଂ ରାଜନୈତିକ ବ୍ୟାପାର କମିଟି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହା ପରେ ଜିଏଫ୍‌ପି ଅଧ୍ୟକ୍ଷ ବିଜୟ ସର୍ଦେଶାଈ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି, ଏନଡିଏରୁ ଅଲଗା ହେବା ନେଇ ସୂଚନା ଦେଇଛନ୍ତି।

ସର୍ଦେଶାଈ ଚିଠିରେ ଲେଖିଛନ୍ତି ଯେ, ‘ଗୋଆ ଫରୱାର୍ଡ ପାର୍ଟି ଆନୁଷ୍ଠାନିକ ଭାବେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସହ ସମ୍ପର୍କ ଛିନ୍ନ କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗତ ୨୦୧୯ ଜୁଲାଇଠାରୁ ବିଜେପି ଓ ଗୋଆ ଫରୱାର୍ଡ ପାର୍ଟି ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଏନେଇ ପୁନର୍ବିଚାରର କୌଣସି ଆବଶ୍ୟକତା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିଠିରେ ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଗୋଆ ବିଜେପି ସରକାର କ୍ରମାଗତ ଭାବେ କେବଳ ଗୋଆ ବିରୋଧୀ ନୀତି ଆପଣାଇଛି।

ଦଳ ଅଭିଯୋଗ କରିଛି ଯେ ଜୁଲାଇ ୨୦୧୯ ପରଠାରୁ ଗୋଆର ନେତୃତ୍ୱ ରାଜ୍ୟବାସୀଙ୍କଠାରୁ ଦୂରେଇ ଯାଇଛନ୍ତି। ଯେଉଁମାନେ ସେମାନଙ୍କଠାରୁ ବିକାଶର ଆଶା ରଖି ବସିଥିଲେ, ସେହିମାନଙ୍କୁ ସରକାର ଧୋକା ଦେଇଛନ୍ତି। ଗୋଆର ସଂସ୍କୃତି, ଲୋକଙ୍କ ବିକାଶ ଓ ଐତିହ୍ୟର ସୁରକ୍ଷା ପାଇଁ ଜିଏଫପି ନିରନ୍ତର କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ବୋଲି ଚିଠିରେ ଦର୍ଶାଯାଇଛି।

You might also like