ବଢ଼ିଲା କରୋନା ମୃତ୍ୟ ସଂଖ୍ୟା: ଇରାନ୍ରେ ପୁଣି ୧୪୯ ମୃତ୍ୟୁ ପରେ ସଂଖ୍ୟା ୧୦ ହଜାର ପାର୍
ବେଜିଂ: ମହାମାରୀ କରୋନା ଭାଇରସ ଏବେ ଚାଇନା ବାହାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ୱର ସବୁ ରାଷ୍ଟ୍ର ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ଏଯାଏ ସେତେଟା ସଫଳତା ମିଳିନାହିଁ। ପ୍ରତିଦିନ କରୋନା ଭାଇରସ ଶହଶହ ମୁଣ୍ଡ ନେଇ ଚାଲିଛି। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ମୃତ୍ୟୁସଂଖ୍ୟା କମିଥିଲେ ହେଁ ଅନ୍ୟ ଦେଶ ଗୁଡ଼ିକରେ ଲୋକମାନେ ଜୀବନ ହରାଇବାରେ ଲାଗିଛନ୍ତି।
ଗତକାଲି ୧୭୦ଟି ଦେଶରେ ନିଜର ଉପସ୍ଥିତି ଜାହାରି କରିଥିବା କରୋନା ଭାଇରସ ଆଜି ୧୮୨ଟି ଦେଶକୁ କବଳିତ କରିବାକୁ ବସିଛି। ସେହିପରି ଏଯାଏ କରୋନାରେ ମୋଟ ୧୦,୪୦୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨,୫୨, ୭୭୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮୯, ୦୬୦ ଜଣ ଲୋକ କରୋନା ଭାଇରସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସ୍ପେନରେ ୨୪ ଘଣ୍ଟାରେ ୧୭୧ ଜଣ ପ୍ରାଣ ହରାଇଥିବାରୁ ଏଠାରେ ମୃତ୍ୟୁସଂଖ୍ୟା ଆଜି ୧୦୦୨ରେ ପହଞ୍ଚି ଯାଇଛି। ସେହିପରି ୧୯, ୯୮୦ ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଇରାନ୍ରେ ୧୪୯ ଜଣଙ୍କ ମୃତ୍ୟୁ ଘଟିବାରେ ଏଠାରେ ମୃତ୍ୟୁସଂଖ୍ୟା ୧୪୩୩ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪୪ ରହିଛି।
ଜର୍ମାନୀ ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚି ଯାଇଛି। ଗୋଟିଏ ଦିନ ୧୩୦୬ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଆଜି ଚାଇନାରେ କରୋନା ଯୋଗୁ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୪୮ରେ ପହଞ୍ଚି ଯାଇଛି। ଏଠାରେ ୭୧,୧୫୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬,୫୯୬ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨,୧୩୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଦକ୍ଷିଣ କୋରିଆରେ ଆଜି ୩ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୯୪ରେ ଛୁଇଁଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩୭୨ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୨୦୦ ଅତିକ୍ରମ କରିଛି। ଏଠାରେ ୨୧୭ ଜଣ ଜୀବନ କରୋନା ନେଇଥିବା ବେଳେ ୧୪,୩୬୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସରକାର ବ୍ୟାପକ କଟକଣା ଲଗାଇଛନ୍ତି। ତଥାପି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ସ୍ୱିଜରଲ୍ୟାଣ୍ଡରେ ୪୩, ବ୍ରିଟେନରେ ୧୪୪, ନେଦରଲ୍ୟାଣ୍ଡସରେ ୭୬, ଅଷ୍ଟ୍ରିଆରେ ୬, ବେଲଜିୟମରେ ୩୭, ନରୱେରେ ୭, ସ୍ୱିଡେନରେ ୧୧, ଡେନମାର୍କରେ ୯, ଜାପାନରେ ୩୩, ମ୍ୟାଲେସିୟାରେ ୨, କାନାଡା ୧୨, ଅଷ୍ଟ୍ରେଲିଆରେ ୭, ପର୍ତ୍ତୁଗାଲରେ ୫, ବ୍ରାଜିଲରେ ୭, ଗ୍ରୀସରେ ୬, ଆୟର୍ଲ୍ୟାଣ୍ଡରେ ୩, ପାକିସ୍ତାନରେ ୩, ପୋଲାଣ୍ଡରେ ୬, ଇଣ୍ଡୋନେସିଆରେ ୩୨, ତୁର୍କୀରେ ୪, ବାହାରିନରେ ୧, ଫିଲିପାଇନ୍ସରେ ୧୮, ଥାଇଲ୍ୟାଣ୍ଡରେ ୧, ଇଜିପ୍ଟରେ ୭, ପେରୁରେ ୩, ହଂକଂରେ ୪, ଇରାକରେ ୧୩, ରୁଷରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୩, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୩, ଇକ୍ୱିଡରରେ ୪, ହଙ୍ଗେରୀରେ ୩, ଆଲବାନିଆରେ ୨, ବୁଲଗେରିଆରେ ୩, ଆଲଜେରିଆରେ ୧୦, ପାନମାରେ ୧, ଆର୍ଜେଣ୍ଟିନାରେ ୩, ତାଇୱାନରେ ୧, ତୁନିସିଆରେ ୧, ସାନ ମାରିନୋରେ ୧୪, ମେକ୍ସିକୋରେ ୧, ଲେବାନନରେ ୪, ସ୍ଲୋଭେନିଆରେ ୧, ଓ ଭାରତରେ ୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।