ବିଶ୍ୱରେ ବିଗୁଡୁଛି କରୋନା ସ୍ଥିତି, ୪ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ ଏଯାଏ ୩୫ ଲକ୍ଷ ୩୫ ହଜାର ୪୯୧ ଜଣ ସୁସ୍ଥ ହୋଇସାରିିଥିବା ବେଳେ ୩୨ ଲକ୍ଷ ୪୯ ହଜାର ୮୬୯ ଟି ଆକ୍ଟିଭ କେସ୍ ରହିଛି ।

ଏବେ ମେକ୍ସିକୋରେ ସ୍ଥିତି ଗମ୍ଭୀର ହୋଇଛି । ମେକ୍ସିକୋରେ ୨୪ ଘଣ୍ଟାରେ ୩୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ହଜାର ୯୯୯ ମାମଲା ସାମ୍ନାକୁ ଆସିଛି । ମେକ୍ସିକୋରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧ ଲକ୍ଷ ୨୦ ହଜାର ୧୦୨ରେ । ତେବେ କରୋନା ଆକ୍ରାନ୍ତ ମାମଲାରେ ଆମେରିକା ଶୀର୍ଷ ସ୍ଥାନରେ ରହିଛି ।

ଆମେରିକାରେ ଏଯାଏ ୨୦ ଲକ୍ଷ ୨୬ ହଜାର ୪୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୩ ହଜାର ଟପିଛି।  ମୃତ୍ୟୁ ସଂଖ୍ୟାରେ ଆମେରିକା ପଛକୁ ରହିଛି ବ୍ରିଟେନ୍ । ବ୍ରିଟେନ୍‌ରେ ଏଯାଏ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ।

ସେହିପରି ବ୍ରାଜିଲରେ ୩୭ ହଜାର ୩୧୨, ଇଟାଲୀରେ ୩୩ ହଜାର ୯୬୪, ଫ୍ରାନ୍ସରେ ୨୯ ହଜାର ୨୦୯ ଏବଂ ସ୍ପେନ୍‌ରେ ୨୭ ହଜାର ୧୩୬ ଜଣଙ୍କର ଜୀବନ ନେଲାଣି କରୋନା । ସଂକ୍ରମଣ ତାଲିକାରେ ଆମେରିକା ପଛକୁ ଟପ୍ ଟେନ୍‌ରେ ରହିଛନ୍ତି ବ୍ରାଜିିଲ, ରୁଷିଆ, ସ୍ପେନ୍, ବ୍ରିଟେନ୍, ଭାରତ, ଇଟାଲୀ, ପେରୁ, ଜର୍ମାନୀ ଏବଂ ଇରାନ।

You might also like