ଚଳନ୍ତା ବାଇକ୍ରେ ବିନ୍ଦାସ ଷ୍ଟଣ୍ଟ କରୁଥିଲେ ଯୁବତୀ, ବାନ୍ଧିଲା ପୋଲିସ୍
ସୁରତ: ମହଙ୍ଗା ପଡ଼ିଲା ବିନା ହେଲ୍ମେଟ୍ ଓ ବିନା ମାସ୍କରେ ବିନ୍ଦାସରେ ଚଳନ୍ତା ବାଇକ୍ରେ ଷ୍ଟଣ୍ଟ କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବାପରେ ସୁରତର ଡୁମ୍ମସ ଅଞ୍ଚଳରୁ ଏହି ଯୁବତୀଙ୍କୁ ପୋଲିସ୍ ଗିରଫ କରିଛି। ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କ ନାଁ ସଞ୍ଜନା ଓରଫ ପ୍ରିନ୍ସି ପ୍ରସାଦ ବୋଲି ଜଣାପଡ଼ିଛି। ବାର୍ଡୋଲି ସହର ବାବେନ୍ ଗାଁରେ ସେ ରୁହନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା, କେବଳ ବାଇକ୍ରେ ଷ୍ଟଣ୍ଟ କରି ଏହାର ଭିଡିଓ କରିବା ପାଇଁ ସଞ୍ଜନା ବାର୍ଡୋଲିରୁ ସୁରତ ଆସୁଥିଲେ। ଭିଡିଓ କରିବା ପରେ ସେ ଏହାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପ୍ଲୋଡ୍ କରୁଥିଲେ। ଇନ୍ଷ୍ଟାଗ୍ରାମରେ ସେ ବାଇକ୍ରେ ଷ୍ଟଣ୍ଟ କରୁଥିବା ଭିଡିଓ ସବୁ ଅପ୍ଲୋଡ୍ କରିଥିଲେ। ଇନ୍ଷ୍ଟାଗ୍ରାମରେ ତାଙ୍କର ଲକ୍ଷେରୁ ଅଧିକ ଫଲୋର୍ସ ଅଛନ୍ତି। ସେ ବାର୍ଡୋଲି କଲେଜରେ ପଢ଼ୁଥିବା ବେଳେ ତାଙ୍କ ବାପା ଫଳ ବିକ୍ରି କରନ୍ତି।
ସୋସିଆଲ୍ ମିଡିଆରେ ସଞ୍ଜନାଙ୍କ ବାଇକ୍ରେ ଷ୍ଟଣ୍ଟ କରୁଥିବା ଭିଡିଓ ଭାଇରାଲ୍ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡ଼ିଥିଲା, ସେ ମାର୍ଚ୍ଚ ୫ରେ ଭେସୁ ଓ ଗୌରବ ପାଥ୍ ଅଞ୍ଚଳରେ ଏକ ଭିଡିଓ ଶୁଟ୍ କରିଥିଲେ। ଏହାକୁ ପରେ ସେ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯାହା ବେଶ୍ ଭାଇରାଲ୍ ହୋଇଥିଲା। କିଛି ବର୍ଷ ହେବ ସେ ବିଭିନ୍ନ ମୋଟରସାଇକେଲ୍ ଉପରେ ବସି ଡ୍ରାଇଭ କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଶେଆର କରିଥିଲେ।
ଘଟଣାକୁ ନେଇ ସଞ୍ଜନା ଜାତୀୟ ଗଣମାଧ୍ୟମ ସଂସ୍ଥା TOIକୁ ସୂଚନା ଦେଇ କହିଛନ୍ତି, ‘ମୁଁ ସୋସିଆଲ୍ ମିଡିଆରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ପ୍ରାୟୋଜକ(sponsors)ଙ୍କ ପାଇଁ ପ୍ରୋମୋସନାଲ୍ ଶୁଟ୍ କରେ। ଏଥିପାଇଁ ମୁଁ ମୁମ୍ବାଇ ଓ ଅନ୍ୟ ସ୍ଥାନକୁ ଯାଇଥାଏ। ଯେଉଁ ଭିଡିଓ ଆଧାରରେ ମୋତେ ଗିରଫ କରାଯାଇଥିଲା, ସେହି ସମୟରେ ମୁଁ କିଛି ସାଙ୍ଗକୁ ଭେଟିବା ପାଇଁ ସହରକୁ ଆସିଥିଲି।’
ସଞ୍ଜନା ଆହୁରି କହିଛନ୍ତି, ‘ଯେଉଁମାନେ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଛନ୍ତି, ସେମାନଙ୍କ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏପରିକି ଯେଉଁମାନେ ହେଲ୍ମେଟ୍ ଓ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ହେଲେ ମୋର ଭିଡିଓ ଭାଇରାଲ୍ ହେବାପରେ ମୋତେ ଗିରଫ କରାଯାଇଥିଲା।’
ଭିଡିଓ ଶୁଟ୍ କରିବା ପାଇଁ ସଞ୍ଜନା ତାଙ୍କ ସାଙ୍ଗ ମହମ୍ମଦ ବିଲାଲ୍ ଘାଞ୍ଚିଙ୍କ ବାଇକ୍ ବ୍ୟବହାର କରିଥିଲେ। ଭାଇରାଲ୍ ହୋଇଥିବା ସଞ୍ଜନାଙ୍କ ଅନେକ ଭିଡିଓରେ ବେପରୁଆ ଗାଡ଼ି ଚାଳନାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୋଲିସ୍ କହିଛି।