ଚାଷୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ମହନୀୟତାର ପରିଚୟ ଦେଲେ ଯୁବତୀ

ଟଙ୍କା ଲୋଭ କାହାର ନଥାଏ। ତା ପୁଣି ପୁଳା ପୁଳା ଟଙ୍କା ହାତରେ ପଡ଼ିଗଲେ କଥା ସରିଲା। ଲୋଭର ବଶବର୍ତ୍ତୀ ହୋଇ ସବୁକିଛି ଭୁଲିଯାଏ ମଣିଷ। କିନ୍ତୁ ଆପଣ ପଢ଼ିବାକୁ ଯାଉଥିବା କଥା କିଛି ନିଆରା। ଅନ୍ୟ ପାଇଁ ବଡ଼ ଉଦାହରଣ।

ତେବେ ଘଟଣାଟି କଣ ଆସନ୍ତୁ ଜାଣିବା

ହାତ ମୁଠାରେ ବିଡ଼ାବିଡା ନୋଟ୍ ପଡ଼ିଥିଲା, ଚାହିଁଥିଲେ ବି ଟଙ୍କାକୁ ଲୁଚାଇ ପାରିଥାନ୍ତେ, ନିଜ ପାଇଁ ଏବଂ ପରିବାରର ପାଇଁ କେତେ  କଣ ସାମଗ୍ରୀ କିଣି ପାରିଥାନ୍ତେ। କିନ୍ତୁ ଆମେ ଜାଣିଛେ ସଚ୍ଚା ଓ ସତ୍ କର୍ମରେ ମନୋନିବେଶ କରୁଥିବା ବ୍ୟକ୍ତି କେବେ ବାଟ ହୁଡ଼େନା। ଯେତେ କଠିନ କାର୍ଯ୍ୟ ପଡୁ ପଛେ। ଯେତେ ଝଡ଼ ଝଞ୍ଜା ବାଟ ଉଗାଳୁ ପଛେ ଅସତ୍ ପଛରେ ଗୋଡ଼ାଇ ଅର୍ଥ ଅର୍ଜିଲେ ବେକାର ଯାଏ। ଜୀବନରେ ଶାନ୍ତି ମିଳେନା; କିନ୍ତୁ ଆପଣଙ୍କୁ ଆମେ ଏପରି ମହତ୍ କଥା ଜଣାଇବୁ, ଯାହାକୁ ପଢ଼ିଲେ ଆପଣଙ୍କ ମନରୁ ଆପେ ଆପେ ପ୍ରଶଂସାର ସୁଅ ଛୁଟିବ।

ଗରିବ ଝିଅ ହେଲେ ବି ମନ କୁବେର

ସେ ଗରିବ ଝିଅ । ଟଙ୍କାର ଅଭାବ ଥିଲେ ବି ସେ ଅର୍ଥାଭାବକୁ ବୁଝେ। ସେଥିପାଇଁ ତ ଜଣେ ଚାଷୀର ଟଙ୍କାଭର୍ତ୍ତି ବ୍ୟାଗକୁ ଲୋଭ ନ କରି ଫେରାଇ ଦେଇ ଦୁଷ୍ଟାନ୍ତ ସାଜିଲା ଜଣେ ଗରିବ ବାପାର ଝିଅ। ଏପରି ଏକ ଭଲ ଖବର ଆସିଛି ମଧ୍ୟପ୍ରଦେଶ ବୈତୁଲ ଅଞ୍ଚଳରୁ। ବସରେ ଯାତ୍ରା କରିବାବେଳେ ଅସାବଧାନତାବଶତଃ ଜଣେ ଚାଷୀ ବ୍ୟାଗରେ ଥିବା ଟଙ୍କାକୁ ଛାଡ଼ି ଓହ୍ଲାଇପଡ଼ିଥିଲେ। ସେହି ବ୍ୟାଗରେ ଥିଲା ୧ ଲକ୍ଷ ୨୨ ହଜାର ଟଙ୍କା। ଯାହା ପରବର୍ତ୍ତୀ ସମୟରେ ପୋଲିସ ଖୋଲିବା ବେଳେ ଜଣାପଡ଼ିଥିଲା। ପୋଲିସକୁ ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇଥିବା ସେହି ପରୋପକାରୀ ଯୁବତୀ ଜଣଙ୍କ ହେଉଛନ୍ତି ପୋହର ଅଞ୍ଚଳର ଝିଅ ରୀତା ପୱାର। ଚାଷୀ ରମେଶ ସାହୁ ଭୋପାଳରେ ତାଙ୍କ ଫସଲ ବିକ୍ରି ଟଙ୍କା ଧରି ବୈଷ୍ଣବୀ ନାମକ ବସରେ ଫେରୁଥିଲେ। ବ୍ୟାଗ ଛାଡ଼ି ଯିବା ପରେ ଚାଷୀଙ୍କ ପଛ ସିଟ୍ ରେ ବସିଥିବା ଯୁବତୀଙ୍କ ନଜର ପଡ଼ିଥିଲା। ବ୍ୟାଗରେ କଣ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଥିବ ଭାବି ନିକଟସ୍ଥ ସାଇଖେଡ଼ା ପୋଲିସ ଷ୍ଟେସନ ଯାଇ ବ୍ୟାଗକୁ ପୋଲିସକୁ ହସ୍ତାନ୍ତର କରିଥିଲେ ଯୁବତୀ।

ମାତ୍ର ତାଙ୍କ ଧାରଣା ନ ଥିଲା ସେଥିରେ ଅନ୍ୟ କିଛି ନୁହେଁ ବିପୁଳ ଟଙ୍କା ରହିଛି ବୋଲି। ଯୁବତୀଙ୍କ ଏପରି ମହନୀୟ କାମ ଦେଖି ପୋଲିସ ସମ୍ବର୍ଦ୍ଧିତ କରିବା ସହ ଯୁବତୀଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ଠିକଣା ଲଗାଇ ବ୍ୟାଗ ହଜିଥିବା ଚାଷୀଙ୍କୁ ତାଙ୍କ ଟଙ୍କା ଫେରାଇଥିଲା ପୋଲିସ । ଜଣେ ଅଜଣା ଝିଅ ତାଙ୍କ ଟଙ୍କା ଫେରାଇଥିବାରୁ ମନରୁ କୋଟିକୋଟି ଧନ୍ୟବାଦ ଜଣାଇଥିଲେ ସେ ।

ପୋଲିସ କହିବା ଅନୁସାରେ ସୁନା ଝିଅ ରୀତା ଏହି ଗୋଟିଏ ମାତ୍ର ଭଲ କାମ କରିନାହିଁ, ପୂର୍ବରୁ ତାଙ୍କ ବାପାଙ୍କ ବ୍ୟାଙ୍କ ଖାତାକୁ ଅନ୍ୟ କେଉଁଠୁ ଭୁଲରେ ୪୨ ହଜାର ଟଙ୍କା ଜମା ହୋଇଯାଇଥିଲା । ଯୁବତୀଙ୍କ ଜଣ ପତ୍ତା ଲଗାଇ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ଟଙ୍କା ଫେରାଇ ଦେଇଥିଲେ । ଏପରି କାର୍ଯ୍ୟକୁ ପୋଲିସ ପ୍ରଶଂସା କରିବା ସହ ରୀତାକୁ ମଧ୍ୟ ସମ୍ମାନିତ କରିଥିଲା ।

You might also like