ହମିରପୁର: ବିବାହ ପାଇଁ ଜୋରଦାର ଚାଲିଥିଲା ପ୍ରସ୍ତୁତି। ସୁନା ଅଳଙ୍କାରଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ସବୁ ପ୍ରାୟତଃ କିଣା ସରିଥିଲା। ହେଲେ ଯାହା ପାଇଁ ଏତେ ଆୟୋଜନ ଚାଲିଥିଲା, ବିବାହ ପୂର୍ବରୁ ସେ ଘର ଛାଡ଼ି ଚାଲିଗଲେ। ଖାଲି ଫେରାର ହେଲେ ନାହିଁ ଏହାସହ ସେ ଘରୁ ଟଙ୍କା ଓ ସୁନା ଅଳଙ୍କାର ମଧ୍ୟ ନେଇ ଚାଲି ଯାଇଛନ୍ତି। ବିବାହର ୧୫ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ହମିରପୁର ଜିଲ୍ଲାର ଜଣେ ଯୁବତୀ ଘରୁ ପଳାଇଛନ୍ତି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଯୁବତୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଯୁବତୀ ଜଣକ ସିଙ୍ଗର ଗୁରୁ ରନ୍ଧୱାଙ୍କ ବହୁତ ବଡ଼ ଫ୍ୟାନ୍‌ ବୋଲି ଜଣାପଡ଼ିଛି।

guru randhawa
Singer Guru Randhawa

ସୂଚନା ଅନୁସାରେ, ହମିରପୁର ଜିଲ୍ଲା ବଡ଼ସର ଉପମଣ୍ଡଳରେ ଏହି ଘଟଣା ଘଟିଛି। ୧୯ ବର୍ଷୀୟ ଯୁବତୀ ବିବାହର ୧୫ ଦିନ ପୂର୍ବରୁ ଘରୁ ପଳାଇଛନ୍ତି। ଘରୁ ଯିବା ପୂର୍ବରୁ ସେ ଏକ କାଗଜରେ ଲେଖିଥିଲେ ଯେ, ସେ ଘର ଛାଡ଼ି ଯାଉଛନ୍ତି। ଘଟଣାକୁ ନେଇ ଶନିବାର ବଡ଼ସର ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି, ଝିଅ ୫୦ ହଜାର ଟଙ୍କା, ସୁନା ଅଳଙ୍କାର ଓ ଦାମୀ ଜିନିଷ ସାଙ୍ଗରେ ନେଇ ଚାଲି ଯାଇଛି। କିଛିଦିନ ପୂର୍ବେ ତାଙ୍କର ବିବାହ ସ୍ଥିର ହୋଇଥିଲା ଓ ଝିଅ ମଧ୍ୟ ବେଶ୍‌ ଖୁସି ଥିଲା। ଯେତେବେଳେ ଝିଅ ଘରୁ ଗଲା ସାଙ୍ଗରେ ୩-୪ଟି ବ୍ୟାଗ୍‌ ଥିଲା ବୋଲି କିଛି ଲୋକ ଦେଖିଛନ୍ତି।

ଘରୁ ପଳାଇଥିବା ଉକ୍ତ ଯୁବତୀ ନିଜକୁ ସିଙ୍ଗର ଗୁରୁ ରନ୍ଧୱାଙ୍କ ବହୁତ ବଡ଼ ଫ୍ୟାନ୍‌ ବୋଲି କହୁଥିଲେ। ଟ୍ୱିଟରରେ ଯୁବତୀଙ୍କ ଏକ ଆକାଉଣ୍ଟ ଅଛି। ଯେଉଁଥିରେ ସେ କେବଳ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧୱାଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଥିବା ଦେଖିବାକୁ ମିଳିଛି। ତେଣୁ ପରିବାର ଲୋକ ସନ୍ଦେହ କରୁଛନ୍ତି, ଗୁରୁ ରନ୍ଧୱାଙ୍କୁ ଭେଟିବା ପାଇଁ ହୁଏତ ସେ ଘର ଛାଡ଼ି ଚାଲି ଯାଇଛନ୍ତି।

Other Stories