୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢିନେଲେ ଦୁର୍ବୃତ୍ତ

କାନପୁର: କାନପୁର ଜିଲ୍ଲାର ଘାଟମପୁର ଅଞ୍ଚଳରେ ଦୀପାବଳି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଜଣେ ୬ ବର୍ଷ ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଶରୀରରୁ ଲିଭର ଏବଂ ଲଂଗ୍‌ସକୁ କାଢି ନିଆଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ, ତନ୍ତ୍ର ସାଧନା ପାଇଁ ଏକ ନୀରିହ ଶିଶୁକୁ ଏପରି ବିଭତ୍ସ ଭାବେ ହତ୍ୟା କରାଯାଇଛି। କାନପୁର ପୋଲିସ ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

କାନପୁର ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଘାଟମପୁର ଅଧୀନସ୍ଥ ଏକ ଗାଁରେ ମୃତ ଶିଶୁକନ୍ୟାର ପରିବାର ରୁହନ୍ତି। ଶନିବାର ରାତିରେ ଘରେ ଦୀପାବଳି ପୂଜା ପାଇଁ ଆୟୋଜନ ଚାଲିଥିଲା । ହଠାତ୍‌ ଘରେ ଝିଅକୁ ପାଇ ନ ଥିଲେ ପରିବାର ଲୋକେ। ବହୁ ଖୋଜାଖୋଜି କଲେ। ହେଲେ ଝିଅର କୌଣସି ପତ୍ତା ମିଳି ନ ଥିଲା।  ରାତି ପାହିଗଲା। ରବିବାର ସକାଳେ ଗାଁର କିଛି ଲୋକ ଦେଖିଲେ, ନିକଟସ୍ଥ ମନ୍ଦିର ପାଖରେ ଝିଅର ମୃତଦେହ ପଡ଼ିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତରୁ ଶିଶୁ କନ୍ୟାକୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅନୁମାନ କରିଥିଲା ପୋଲିସ। ଶିଶୁ କନ୍ୟାର ହାତ ଏବଂ ପାଦରେ ରଙ୍ଗ ଲାଗିଥିଲା। ଝିଅର ପୋଷାକ, ଗୋଟଏ ଚପଲ ଏବଂ ଅନ୍ୟାନ ଜିନିଷ ନିକଟସ୍ଥ ଏକ ଗଛ ତଳେ ପଡିଥିଲା।

ଘଟଣାସ୍ଥଳରେ ପୋରେନ୍ସିକ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିଲା। ଯାଞ୍ଚ ପରେ ଏହି ଘଟଣାରେ ପୋଲିସ ଅଙ୍କୁଲ କୁରୀଲ (୨୦) ଏବଂ ବୀରନ (୩୧) ନାମକ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଏମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମକୁ ଗିରଫ କରିଛି। ଏଥିସହିତ ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୁରୁଷୋତ୍ତମର ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଜେରାବେଳେ ପୁରୁଷୋତ୍ତମ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା। ହେଲେ ପରେ ସବୁ ଦୋଷ ସ୍ୱୀକାର କରିଥିଲା। ପୁରୁଷୋତ୍ତମର ବିବାହ ୧୯୯୯ରେ ହୋଇଥିଲା। ବିବାହର ଦୀର୍ଘ ବର୍ଷ ପରେ ବି  ତାଙ୍କର କୌଣସି ସନ୍ତାନ ନ ଥିବାରୁ ସେ ଚିନ୍ତାରେ ଥିଲେ । ସନ୍ତାନ ହାସଲ କରିବା ପାଇଁ ପୁରୁଷୋତ୍ତମ ତନ୍ତ୍ରସାଧନା କରୁଥିଲା। ଏଥିପାଇଁ ଏକ ଶିଶୁର ଲଂଗସର ଆବଶ୍ୟକତା ଥିଲା। ସେଥିପାଇଁ ସେ ତା‘ର ଭଣଜା ଅଙ୍କୁଲ ଏବଂ ତା ସାଙ୍ଗ ବୀରନକୁ ପଡୋଶୀଙ୍କ ଶିଶୁକନ୍ୟାକୁ ଅପହରଣ କରି ଆଣିବାକୁ କହିଥିଲା।

ଏଥିପାଇଁ ପୁରୁଷୋତ୍ତମ ଅଙ୍କୁଲକୁ ଏକ ହଜାର ଟଙ୍କା ଦେଇଥିଲା। ଶନିବାର ସନ୍ଧ୍ୟାରେ ଝିଅଟି ଖେଳୁଥିବାବେଳେ ଅଙ୍କୁଲ ଓ ବୀରେନ ତାକୁ ଅପହରଣ କରି ଆଣିଥିଲେ। ହତ୍ୟା ପୂର୍ବରୁ ଶିଶୁକନ୍ୟାଟି ସହ ଦୁଷ୍କର୍ମ କରିଥିବା ମଧ୍ୟ ଜଣାଯାଇଛି। ହତ୍ୟା ପରେ ଲିଭର ଓ ଶ୍ୱାସନଳୀ କାଢି ଏକ ପଲିବ୍ୟାଗରେ ରଖି ପୁରୁଷୋତ୍ତମକୁ ଦେଇଥିବା ଜେରାବେଳେ ସ୍ୱୀକାର କରିଛନ୍ତି ଦୁଇ ଅଭିଯୁକ୍ତ। ହତ୍ୟାରେ ବୃବହୃତ ଛୁରୀକୁ ପୋଲିସ ଜବତ କରିଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଛନ୍ତି।

You might also like