ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ମୁଖ୍ୟମନ୍ତ୍ରୀ ମହାଶୟ କୁହନ୍ତୁ, ମୋ ବର କିପରି ଆସିବ?

ଫରିଦାବାଦ: ବିବାହ ନେଇ ଝିଅ ମାନଙ୍କର ଅନେକ ସ୍ୱପ୍ନ ଥାଏ। ଶୁଭ ଲଗନରେ ଶାହାନାଇ ବାଜିବ, ଓଢ଼ଣୀ ଫାଙ୍କରେ ଅତି ସରାଗରେ ଚାହିଁ ରହିବେ ମନର ମଣିଷକୁ। ଅଜଣା ଠିକଣାର ଦୁଇ ଜଣ ଅଚିହ୍ନା ଅଜଣା ମଣିଷଙ୍କ ଜୀବନ ସବୁଦିନ ପାଇଁ ଯୋଡ଼ି ହୋଇଯିବ। ବିବାହର ଏହି ମହାର୍ଘ୍ୟ ମୁହୂର୍ତ୍ତ ସମସ୍ତଙ୍କ ଜୀବନରେ ସବୁଠୁ ମୂଲ୍ୟବାନ ଏବଂ ସ୍ମରଣୀୟ ନିଶ୍ଚୟ। ତେବେ ଏହି ଦିନକୁ ସବୁଦିନ ପାଇଁ ସ୍ମୃତିରେ ରଖିବା ପାଇଁ ବର ଓ କନ୍ୟା ଉଭୟ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଏ। କିନ୍ତୁ ପ୍ରଶାସନର ଅବହେଳା ହେତୁ ଲୋକଙ୍କ ପାଇଁ ଏହି ମୂଲ୍ୟବାନ ସମୟ ନିରାଶରେ ପରିଣତ ହୋଇଗଲେ କିପରି ଲାଗିବ?

ଫରିଦାବାଦରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଆସନ୍ତା ଫେବୃଆରୀ ୧୬ରେ ପର୍ବତୀୟା କଲୋନୀରେ ରହୁଥିବା କାମିନୀ ନାମକ ଜଣେ ଯୁବତୀଙ୍କ ବିବାହ ହେବାକୁ ଯାଉଛି। ହେଲେ ବିବାହ ପୂର୍ବରୁ ଗଳିରେ ଲହଡ଼ି ଭାଙ୍ଗୁଥିବା ନର୍ଦ୍ଦମା ପାଣି ମୁଖ୍ୟ ସମସ୍ୟା ସୃଷ୍ଟି କରିଛି। ଏଠାରେ ଯିବାଆସିବା କରିବା କାଠିକର ପାଠ। ଆଉ ଏଥିପାଇଁ ପ୍ରଶାସନର ଅବହେଳା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ବାଧ୍ୟ ହୋଇଛନ୍ତି କାମିନୀ । ନିଜ ଗଳିର ଫଟୋ ଓ ଭିଡ଼ିଓ ସେୟାର କରି କାମିନୀ ପଚାରିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଦୟାକରି ମୋତେ କୁହନ୍ତୁ, ଏପରି ଅବସ୍ଥାରେ ମୋ ବର କିପରି ଆସିବ? ଆଉ ମୁଁ ବାହାହେବି କେମିତି?

ଗଳି ଭିତରେ ଆଣ୍ଠୁଏ ଆଣ୍ଠୁଏ ନର୍ଦ୍ଦମା ପାଣି। ଆଉ ମାତ୍ର ୫ ଦିନ ପରେ ବିବାହ ଥିବାବେଳେ ଘର ଗଳି ସାମ୍ନାରେ ପୂତିଗନ୍ଧମୟ ନର୍ଦ୍ଦମା ପାଣିର ଦୁର୍ଗନ୍ଧରେ ନାକ ଫାଟିଯାଉଛି। ଡ୍ରେନ୍‌ର ପଚା ପାଣି ରାସ୍ତା ଉପରେ ପୋଖରୀ ଭଳି ଜମି ରହିଛି। ଘରୁ ବାହାରି ହେଉନି। ନାକ ଫାଟି ପଡ଼ୁଛି। ଘରକୁ କେହି ଆସିବାକୁ ରାଜି ହେଉନାହାନ୍ତି। ଏମିତି ଅବସ୍ଥାରେ ଅତିଥି କେମିତ ଆସିବେ ଏବଂ ବର ଯାତ୍ରୀ ଘରକୁ କେମିତି ପହଞ୍ଚିବେ।  ଫରିଦାବାଦର ମ୍ୟୁନିସିପାଲଟିରେ ଅନେକ ଚକ୍କର ମାରି ଥକି ସାରିବା ପରେ ବି କେହି ଶୁଣୁନଥିବା କଥା ସେ ଅଭିଯୋଗ କରିଛନ୍ତି କାମିନୀ।

ବିବାହର ନିମନ୍ତ୍ରଣ କାର୍ଡ ଓ ଗଳିରେ ଲହଡି ମାରୁଥିବା ନର୍ଦ୍ଦମା ପାଣିର ଫଟୋ ମଧ୍ୟ ସେୟାର କରିଛନ୍ତି କାମିନୀ । ଟ୍ଵିଟରେ‌ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅନିଲ୍ ବିଜଙ୍କୁ ଟ୍ୟାଗ୍ ଲେଖିଛନ୍ତି ।

You might also like