ସଉଦା ବଦଳରେ ପୁଅ ଆଣିଲା ଏମିତି ଜିନିଷ, ମା’ ଦେଖି ବେହୋସ

ଗାଜିଆବାଦ: କରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଛି। କେହି ଘରୁ ବାହାରୁ ନାହାନ୍ତି।   ଲୋକମାନେ କେବଳ ଆବଶ୍ୟକ ଜିନିଷ ପାଇଁ ବାହାରକୁ ବାହାରୁଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଜଣେ ବ୍ୟକ୍ତି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଆସିଲେ। କିନ୍ତୁ ଖାଦ୍ୟ ସାମଗ୍ରୀ ବଦଳରେ ସେ ଏମିତି କିଛି ଆଣିଥିଲେ ଯାହାକୁ ଦେଖି ମା’ଙ୍କ ହୋସ ଉଡ଼ିଗଲା।

ପୁଅ ଆସିବା ଜାଣି ମା‘ ଯେତେବେଳେ କବାଟ ଖୋଲିଲେ ଦେଖିଲେ,ସଉଦା ବଦଳରେ ପୁଅ ବାହା ହୋଇ ବୋହୂକୁ ନେଇ ଘରକୁ ଫେରିଛି। ପୁଅର ଏପରି କାମ ଦେଖି ମା’  ରାଗି ଯାଇଥିଲେ। ଏପରିକି ମା’ ଉଭୟଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ପରେ ମା’ ତାଙ୍କ ପୁଅ ବିରୁଦ୍ଧରେ ଅଭିଯୋଗ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହି ଘଟଣାଟି ଗାଜିଆବାଦ ଜିଲ୍ଲାର ସାହିବାବାଦ ଅଞ୍ଚଳରେ ଘଟିଛି।

ଘଟଣାକୁ ନେଇ ମା’ କାନ୍ଦି କାନ୍ଦି କହିଛନ୍ତି, ‘ମୁଁ ଆଜି ମୋ ପୁଅକୁ ଖାଦ୍ୟ ସାମଗ୍ରୀ ପାଇଁ ଦୋକାନକୁ ପଠାଇଥିଲି। କିନ୍ତୁ ସେ ସାମଗ୍ରୀ ଆଣିବା ପରିବର୍ତ୍ତେ ବାହାହୋଇ ନିଜ ପତ୍ନୀଙ୍କ ସହ ଆସିଥିଲେ। ମୁଁ ଏହି ବାହାଘରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।’

ପ୍ରକୃତ ଘଟଣା ହେଉଛି ଏହିପରି। ଗୁଡୁ ନାମକ ଏଇ ବ୍ୟକ୍ତି ଜଣକ ଦୁଇମାସ ତଳେ ପ୍ରେମ ବିବାହ କରିଥିଲେ। ହରିଦ୍ୱାରର ଆର୍ଯ୍ୟସମାଜ ମଣ୍ଡପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ସାକ୍ଷୀଙ୍କ ଅଭାବ ହେତୁ ସେହି ସମୟରେ ବିବାହ ପ୍ରମାଣପତ୍ର ମିଳିପାରି ନଥିଲା।

ତେଣୁ ସେ ପତ୍ନୀଙ୍କୁ ନେଇ ଏକ ଭଡାଘରେ ରଖିଥିଲେ। ଭାବିଥିଲେ, ମା’ଙ୍କୁ ବୁଝାଇ ଶୁଝାଇ ମନାଇବା  ପରେ ପତ୍ନୀକୁ ଘରକୁ ନେଇ ଆସିବେ। ହେଲେ ତା ପୂର୍ବରୁ କରୋନା ଭାଇରସ ସବୁ ପ୍ଲାନକୁ ବିଗାଡ଼ି ଦେଲା। କରୋନା ଯୋଗୁ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ। ଆଉ କେଉଁଠାରେ ରଖିବାର ସୁବିଧା ନ ଥିବାରୁ ଶେଷରେ ଗୁଡୁ ତାଙ୍କ ପତ୍ନୀକୁ ନିଜ  ଘରକୁ ଆଣିବାକୁ ସ୍ଥିର କରିଥିଲେ। ହେଲେ ତା’ଙ୍କ ମା’ ଏହି ବାହାଘରକୁ ଗ୍ରହଣ କରି ପାରିନଥିଲେ।

 

You might also like