• translate
Prangyan Parimita

ନୂଆଦିଲ୍ଲୀ : ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ବିବାଦ ଜାରି ରହିଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ମାମଲାକୁ ନେଇ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଏହାପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର, ନ୍ୟୁଜ୍ ପୋର୍ଟାଲ୍ ଏବଂ ଛଅ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଉତ୍ତରପ୍ରଦେଶ ପୋଲିସ । ଏହି ଭିଡିଓରେ ଜଣେ ବୃଦ୍ଧ ମୁସଲମାନ ଗାଜିଆବାଦରେ କିଛି ଲୋକଙ୍କ ଆକ୍ରମଣ ପରେ ତାଙ୍କ ବେଦନା ବଖାଣୁଥିବା ଦେଖିବାକୁ ମିଳିଥିଲା । ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହି ଭିଡିଓ ସେୟାର କରାଯାଇଥିଲା ବୋଲି ପୋଲିସ କହିଛି । ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ସେହି ଭିଡିଓକୁ ସେୟାର କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଗାଜିଆବାଦର ଲୋନି ସୀମା ପୋଲିସ ଷ୍ଟେସନରେ ଜଣେ ସ୍ଥାନୀୟ ପୋଲିସ ଏ ମାମଲାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ମଙ୍ଗଳବାର ରାତି ପ୍ରାୟ ୧୧.୩୦ ସମୟରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା । ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡିଓ ସେୟାର କରାଯାଇଥିବା ଅଭିଯୋଗ ହୋଇଥିଲା । ଟ୍ୱିଟରରେ ଏହି ଭିଡିଓ ଶେୟାର ହୋଇଥିବାରୁ ଟ୍ୱିଟର ଇଙ୍କ୍ , ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ, ସମାଚାର ୱେବସାଇଟ୍ ଦ ୱାୟାର, ସାମ୍ବାଦିକ ମହମ୍ମଦ ଜୁବେର ଓରାଣା ଆୟୁବ, କଂଗ୍ରେସ ନେତା ସଲମାନ ନିଜାମି, ମକସୁର ଉସମାନି, ଡଃ ଶାମା ମହମ୍ମଦ ଏବଂ ଲେଖକ ସବା ନକଭିଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ଦାଏର କରିଛି ।

ସୂଚନାଯୋଗ୍ୟ ୟୁପିର ଗାଜିଆବାଦରେ ଜଣେ ବୃଢ଼ା ମୁସଲମାନଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ, ଏହି ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିଲା । ରାହୁଲ ଗାନ୍ଧୀ ଏ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଉତ୍ତର ପ୍ରଦେଶକୁ ବଦନାମ ନକରିବାକୁ ଯୋଗୀ ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଥିଲେ । ଧାର୍ମିକ ଭାବନା ବିରୋଧରେ ଲୋକଙ୍କୁ ଉସକାଇବା ସମ୍ମନ୍ଧିତ ଧାରା ଅନୁସାରେ ଟ୍ୱିଟର ବିରୁଦ୍ଧରେ ମାମଲା ରୁଜୁ କରିଥିଲା ୟୁପି ପୋଲିସ୍ ।

ତେବେ ଛାନଭିନ୍ ପରେ ସୋସିଆଲ ମିଡିଆରେ ବୃଦ୍ଧଙ୍କ ସହ ମାଡପିଟ୍, ଅଭଦ୍ର ଆଚରଣ, ଦାଢ଼ି କାଟିବା ଆଦିର ପ୍ରକୃତ କାରଣ ଜଣାପଡ଼ିଥିଲା । ପୀଡିତ ଅବଦୁଲଙ୍କ ସମଦ ଜୁନ ୫ରେ ବୁଲନ୍ଦସହରରୁ ଲୋନି ବୋର୍ଡର ଆସିଥିଲେ । ଅବଦୁଲ ସମଦ ସେଠାରୁ ଆଉ ଜଣେ ବ୍ୟକ୍ତିଙ୍କ ସହ ମିଶି ମୁଖ୍ୟ ଅଭିଯୁକ୍ତ ପ୍ରବଶେ ଗୁଜ୍ଜରଙ୍କ ଘରକୁ ଯାଇଥିଲେ । ପ୍ରବଶେ ଗୁଜ୍ଜରଙ୍କ ଘରେ ପହଞ୍ଚିବାର କିଛି ସମୟ ପରେ କଲ୍ଲୁ, ଆରିଫ, ଆଦିଲ, ମୁଶାହିଦ୍ ଆଦି କିଛି ଯୁବକ ଆସିଥିଲେ ଓ ପ୍ରବଶେଙ୍କ ସହ ମିଶି ଅବଦୁଲଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଅବଦୁଲ ତାବିଜ ତିଆରି କରିବା କାମ କରନ୍ତି ଏବଂ ସେ ଦେଇଥିବା ତାବିଜ ଓଲଟା ପ୍ରଭାବ ପକାଇଥିଲା । ଆଉ ଏହି କାରଣରୁ ଅବଦୁଲଙ୍କୁ ସେମାନେ ମାଡ଼ ମାରିଥିଲେ ବୋଲି ଜଣାପଡ଼ିଥିଲା ।

Other Stories