ବିକ୍ଷୋଭକାରୀଙ୍କୁ ଡରି ବଙ୍କରରେ ଲୁଚିଥିଲେ ଟ୍ରମ୍ପ
ୱାଶିଂଟନ: ମେ’ ୨୫ରେ ମିନେପୋଲିସ୍ରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବାରେ ଲାଗିଛି। ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ହ୍ୱାଇଟ୍ ହାଉସ୍ ବାହାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏହି ହିଂସା ୩୦ ସହରରେ ବ୍ୟାପିଗଲାଣି।
ଦ ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁସାରେ, ଯେତେବେଳେ ଶତାଧିକ ବିକ୍ଷୋଭକାରୀ White House ବାହାରେ ଜମା ହୋଇ ଯାଇଥିଲେ। ଏହା ଦେଖିବା ପରେ White Houseର ଜଣେ ସୁରକ୍ଷା କର୍ମଚାରୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନେଇ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କୁ ସେଠାରେ ରଖାଯାଇଥିଲା। ତେବେ ତାଙ୍କ ସହ ତାଙ୍କ ପତ୍ନୀ ଏବଂ ପରାମର୍ଶଦାତା ବଙ୍କରରେ ଥିଲେ କି ନାହିଁ ଜଣାପଡ଼ିନାହିଁ।
ପୋଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ରୋକିଥିଲେ। ତେବେ ବିକ୍ଷୋଭକାରୀ ହ୍ୱାଇଟ୍ ହାଉସରେ ପହଞ୍ଚିବା ଦେଖି ଟ୍ରମ୍ପ ଏବଂ ତାଙ୍କ ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେବେ ଉତ୍ତେଜନାକୁ ଦେଖି ୪୦ ସହରରେ କର୍ଫ୍ୟୁ ଜାରି କରାଯାଇଛି।
ସୂଚନାଥାଉ କି, ମେ’ ୨୫ରେ ମିନେପୋଲିସ୍ରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍, ଜର୍ଜଙ୍କ ଗଳାକୁ ଚିପି ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।