• translate
Chandan Shishu

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ୨୫ ହଜାର ଟପିବାକୁ ବସିଥିବା ବେଳେ ବିମାନ ବନ୍ଦରରେ କଡ଼ାକଡ଼ି ହେଲା କୋଭିଡ୍ କଟକଣା। ଏଣିକି ଆଉ ଢିଲା ଦେଇପାରିବେନି ଯାତ୍ରୀ। ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ। କିଛି ରାଜ୍ୟରେ କରୋନା ପୁଣି ଥରେ କଡ଼ ଲେଉଟାଇବା ପରେ ଏନେଇ କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରିଛନ୍ତି DGCA। ଯାତ୍ରା ବିମାନବନ୍ଦର ଭିତରେ ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ନାକ ତଳକୁ ମାସ୍କ ରହିବ ନାହିଁ। ସିଆଇଏସ୍ଏଫ୍ ଯବାନ ଏହାକୁ ତଦାରଖ କରିବେ।

ବିମାନ ବନ୍ଦରରେ ପ୍ରବେଶ ବେଳେ ଏହାକୁ କଡ଼ାକଡ଼ି ଯାଞ୍ଚ କରାଯିବ। ସାମାଜିକ ଦୂରତାକୁ ମାନିବାକୁ ପଡ଼ିବ। ଯଦି, ଏହାର ଖିଲାପ ହୁଏ ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହାକୁ ଯଦି ଯାତ୍ରୀ ମାନିବେନି ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ତାସହ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଡିଜିସିଆଇ ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ସମସ୍ତ ଏୟାରପୋର୍ଟ ଅଥୋରେଟି ଓ ସିଆଇଏସ୍ଏଫ୍ ଡିଜିଙ୍କୁ ଚିଠି କରାଯାଇଛି।

ଡିଜିସିଏ କହିଛି ଯେ, କିଛି ଯାତ୍ରୀ ଠିକ୍ ଭାବରେ ମାସ୍କ ପିନ୍ଧୁନଥିବାର ନଜିର ରହିଛି। ଏହାକୁ ନଜରରେ ରଖି ଡିଜିସିଏ ଏହି ନିର୍ଦ୍ଦେଶ ଦେଇଛି। ଅଧିକାଂଶ ଯାତ୍ରୀ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି ହେଲେ ଠିକ୍ ଭାବରେ ମାସ୍କ ପିନ୍ଧିବାର ଅର୍ଥ ଉଭୟ ପାଟି ଏବଂ ନାକ ମାସ୍କରେ ଘୋଡ଼ାଇ ହୋଇ ରହିବ। କେବଳ ଚେକିଂ ହେଉଥିବା ସ୍ଥାନରେ ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି ଆଉ ବିମାନରେ ବସିବା ବେଳେ ଠିକ୍ ଭାବରେ ମାସ୍କ ନପିନ୍ଧୁଥିବାର ନଜିର ରହିଛି। ତେଣୁ କରୋନାକୁ ଦୂରେଇବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବାର ଆବଶ୍ୟକ ରହିଛି ବୋଲି ଡିଜିସିଏ କହିଛି।

ମାସ୍କ ସହିତ ସାମାଜିକ ଦୂରତା, ପିପିଇ କିଟ୍, ସାନିଟାଇଜର ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ତେବେ ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି, ଯଦି କୌଣସି ଯାତ୍ରୀ ବିମାନ ବନ୍ଦରରେ କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି ତାହେଲେ ସଂପୃକ୍ତ ଯାତ୍ରୀଙ୍କୁ ସତର୍କ କରାଯିବାର ଆବଶ୍ୟକତା ରହିଛି। ଏମିତିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟମ ମୁତାବିକ ହେବା ଆବଶ୍ୟକ ରହିଛି।

Other Stories