ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ଏକ ବାହାଘରର ଫଟୋ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଏକ ବାହାଘରର ଫଟୋ ଟ୍ରେଣ୍ଡ କରୁଛି। ଚାରିଆଡ଼େ ଏହି ବାହାଘରକୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ମଧ୍ୟ। ଏହି ବାହାଘର କୌଣସି ସେଲେବ୍ରିଟିଙ୍କର ନୁହେଁ। ଏହି ବାହାଘର ହେଉଛି ଦୁଇ ଭାରତୀୟ ଅମିତ ଶାହ ଓ ଆଦିତ୍ୟ ମଦିରାଜୁଙ୍କର। ଏହି ସମଲିଙ୍ଗୀ କପଲ୍ ପରସ୍ପରକୁ ୧ ବର୍ଷ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।

ଏମାନଙ୍କ ବାହାଘର ଆମେରୀକାର ନ୍ୟୁ ଜର୍ସିର ଶ୍ରୀ ସ୍ୱାମୀନାରାୟଣ  ମନ୍ଦିରରେ ହୋଇଛି। ନ୍ୟୁ ଜର୍ସିରେ ରହୁଥିବା ଅମିତ ଶାହ, ଆତ୍ମା ପରଫର୍ମିଂ ଆର୍ଟସ ନାମକ ଏକ ଡ୍ୟାନ୍ସ କମ୍ପାନୀର ମାଲିକ। ସେହିପରି ଆଦିତ୍ୟ ମଦିରାଜୁ ଏକ ରିସ୍କ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରନ୍ତି। ୩ ବର୍ଷ ପୂର୍ବେ ୨୦୧୬ରେ ଦୁହେଁ ପରସ୍ପରକୁ ପ୍ରଥମଥର ପାଇଁ ଭେଟିଥିଲେ ଏବଂ ହୃଦୟ ଦେଇ ବସିଥିଲେ।

ଅମିତ କହିଛନ୍ତି, ଯେ ଆମେ ପ୍ରଥମେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଭେଟିଥିଲୁ। ସେବେଠୁ ହିଁ ଆମେ ଏକାଠି ଅଛୁ। ଆମ ଦୁହିଁଙ୍କ ପର୍ସନାଲିଟି ପରସ୍ପରଠୁ ପୂରା ଅଲଗା । ହେଲେ ପସନ୍ଦ-ନାପସନ୍ଦ ସବୁ ଏକା। ଆମେ ପ୍ରାୟ ୧ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଏ ସମ୍ପର୍କରେ ନିଜ ନିଜ ପରିବାରକୁ ଜଣାଇଥିଲୁ। ଆଉ ଆମ ପରିବାର ଆମକୁ ଅନେକ ସମର୍ଥନ କରିଛନ୍ତି। ସେମାନେ ଖୁସି ଖୁସିରେ ଆମ ବାହାଘର ପାଇଁ ରାଜି ହୋଇଯାଇଥିଲେ।’

ଏହି ଦୁଇ ଲଭବାର୍ଡ୍ସଙ୍କର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବାହାଘର ହୋଇଛି। ବାହାଘର ପୂର୍ବରୁ ମେହେନ୍ଦି ଓ ସଙ୍ଗୀତ ସେରିମନି ମଧ୍ୟ ବେଶ୍ ଧୂମ୍‌ ଧାମ୍‌ରେ ସେଲେବ୍ରେଟ୍ ହୋଇଛି। ବାହାଘରର ଗେଟ୍‌ଅପ୍‌ରେ ଦୁହେଁ ବେଶ୍ ଆକର୍ଶଣୀୟ ଲାଗୁଛନ୍ତି। ଜଣାଶୁଣା ଫ୍ୟାଶନ୍‌ ଡିଜାନର୍‌ ଅନୀତା ଡୋଙ୍ଗରା ଏମାନଙ୍କ ଆଉଟ୍‌ଫିଜ୍‌ ଡିଜାଇନ୍‌ କରିଛନ୍ତି।

ଆମ ଦେଶରେ ସମଲଙ୍ଗୀ ସମ୍ପର୍କକୁ ଆଇନ୍‌ର ଅନୁମତି ତ ମିଳିସାରିଛି । ହେଲେ ଆମ ସମାଜ ଆଜି ବି ଏପରି ସମ୍ପର୍କକୁ ସହଜରେ ଗ୍ରହଣ କରିପାରୁନାହିଁ। ଏଭଳି ସ୍ଥିତିରେ ଏମାନଙ୍କର ବାହାଘର… ସେ ପୁଣି ପରିବାରର ସହମତିରେ, ଏହା ତି ନିହାତି ଭାବେ ଚର୍ଚ୍ଚାର ବିଷୟ। ହୁଏତ ଏମାନଙ୍କ ବାହାଘର ଆମ ସମାଜର ଚିନ୍ତାଧାରକୁ ବଦଳାଇବାରେ ସକ୍ଷମ ହୋଇପାରେ !

You might also like