ତାଉତେ ଛାଡ଼ିଯାଇଛି ଧ୍ୱଂସର ପଦଚିହ୍ନ..ମୁମ୍ବାଇ ବେଳାଭୂମିରେ ଆବର୍ଜନା ସ୍ତୁପ

ନୂଆଦିଲ୍ଲୀ: ତାଉତେ ଆସିଲା , ତାଣ୍ଡବ ରଚିଲା ଆଉ ଚାଲିଗଲା । ଗଲାବେଳେ ଛାଡ଼ିଗଲା ଧ୍ୱଂସର ପଦଚିହ୍ନ।  ଅନେକ ଧନଜୀବନ ହାନି କଲା । ତାଉତେ ଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ।  ପ୍ରଳୟ ପରର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ମୁମ୍ବାଇ ସମୁଦ୍ର ବେଳାଭୂମିରେ।

ଅଳିଆ, ଆବର୍ଜନାରେ ଭର୍ତ୍ତି ମୁମ୍ବାଇ ସମୁଦ୍ର ବେଳାଭୂମି । ସମୁଦ୍ରକୁ ଯାହା ଫୋପଡ଼ା ଯାଇଥିଲା ଏବେ ତାହା ପୁଣି ଫେରି ଆସିଛି  ବେଳାଭୂମିକୁ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀର ଏହି ଚିତ୍ର  ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କିଏ କହୁଛି ପ୍ରକୃତିର ଏହା ରିଟର୍ଣ୍ଣ ଗିଫ୍ଟ ତ ପୁଣି କିଏ କହୁଛି ବର୍ଷ ବର୍ଷ ଧରି ଅମେ ଯେଉଁ ଗାର୍ବେଜ ସମୁଦ୍ର ମଧ୍ୟକୁ ଫୋପାଡୁଥିଲେ ତାହା ମାତ୍ର ଦୁଇ ଦିନରେ ଆମ ପାଖକୁ ହିଁ ଫେରିଆସିଛି । ଏହା ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ ବୋଲି କୁହାଯାଉଛି।

ତାଉତେର ପ୍ରଭାବ ମୁମ୍ବାଇରେ ମଧ୍ୟ ପଡ଼ିଥିଲା। ଉଚ୍ଚ ଉଚ୍ଚ ଜୁଆର ଆସିଥିଲା ଆଉ ସେହି ଜୁଆରରେ ଏହି ସବୁ ଗାର୍ବେଜ କୁଳକୁ ଆସିଛି। ସୋସିଆଲ ମିଡିଆରେ ଏହି ସବୁ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ବ୍ରିହନ ମୁମ୍ବାଇ ମୁନିସିପାଲ୍ କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ମୁମ୍ବାଇ ସ୍ଥିତ ଗେଟ୍ ୱେ ଅଫ୍ ଇଣ୍ଡିଆ ପରିସରରୁ ପ୍ରାୟ ୪ ଟ୍ରକ ଅଳିଆ, ଆବର୍ଜନା ଉଠା ଯାଇଛି ଏବଂ ବେଳାଭୂମିକୁ ସଫା କରାଯାଇଛି

ସେପଟେ ପଶ୍ଚିମ ଉପକୂଳରେ ବ୍ୟାପକ ଧ୍ୱଂସଲୀଳା ରଚାଇଛି ସାମୁଦ୍ରିକ ଝଡ଼ ତାଉତେ । ମୁମ୍ବାଇ ଉପକୂଳରୁ କିଛି ଦୂରରେ ଥିବା ତୈଳକୂପ ନିକଟରେ କାମ କରୁଥିବା ଓଏନଜିସିର ୫୧ଜଣ କର୍ମଚାରୀ ନିଖୋଜ ଅଛନ୍ତି ଏ ପର୍ଯ୍ୟନ୍ତ ୨୨ଟି ମୃତଦେହ ଉଦ୍ଧାର ହୋଇଛି। ନୌସେନା ଜାହାଜ ଆଇଏନ୍ଏସ୍ କୋଚି ଦ୍ୱାରା ପ୍ରାୟ ୧୮୮ ଜଣଙ୍କୁ ଉଦ୍ଧାର କରାଯାଇଛି । ରେସ୍କ୍ୟୁ ଅପରେସନରେ ଆଇଏନ୍ଏସ୍ କୋଲକାତା ବି ନିୟୋଜିତ ହୋଇଥିଲା।

ଯାହା ବି ହେଉ, ଧିରେ ଧିରେ ଦୁର୍ବଳ ହୋଇ ଯାଇଛି ତାଉତେ । ଡିପ୍ରେସନରୁ ଏହା ବର୍ତ୍ତମାନ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ତାଉତେ ଏବେ ପୂର୍ବ ରାଜସ୍ଥାନ ହୋଇ ପଶ୍ଚିମ ମଧ୍ୟ ପ୍ରଦେଶ ଆଡକୁ ଗତି କରୁଛି। ସେପଟେ ତାଉତେ ପ୍ରଭାବରେ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ରେକର୍ଡ ହୋଇଛି।  ଆଜି ମଧ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

You might also like