ଗଣଦୁଷ୍କର୍ମ ଅଭିଯୋଗ ଆଣିବାର ଦିନକ ପରେ ପୀଡିତାଙ୍କ ବାପାଙ୍କୁ ଚାପିଦେଲା ଟ୍ରକ

କାନପୁର:୧୩ ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଥିଲା। ଏ ନେଇ ବାପା ଥାନାରେ ମାମଲା ଦାଏର କରିଥିଲେ। ହେଲେ ମାମଲା ଦାଏର କରିବାର ଦୁଇ ଦିନ ପରେ ଅର୍ଥାତ୍‌ ବୁଧବାର ସକାଳେ ଡାକ୍ତରଖାନା ବାହାରେ ପୀଡିତାଙ୍କ ବାପାଙ୍କର ସଡ଼କ ଦୁର୍ଘଟଣାରେ ପ଼୍ରାଣ ଚାଲିଗଲା। ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ। ଏହି ଘଟଣାରେ ଗାଁର ତିନି ଜଣ ଯୁବକଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ବାପା। ଝିଅର ଡାକ୍ତରୀ ମାଇନା କରିବାକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଏଠି କହିରଖିବୁ, ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋଲୁ ଯାଦବଙ୍କ ପାପା ୟୁପି ପୋଲିସରେ ସବ୍‌-ଇନ୍ସପେକ୍ଟର ଅଛନ୍ତି ଏବଂ ସେ କାନପୁରଠାରୁ ୧୦୦ କିମି ଦୂର କନୌଜରେ ଅଛନ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ପୀଡିତାଙ୍କ ପରିବାର ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପରିବାରଙ୍କ ଅଭିଯୋଗ କରିଛନ୍ତି ଯେ, ସେମାନେ ଥାନାରେ କେସ ଦାଏର କରିବା ପରଠାରୁ ଅଭିଯୁକ୍ତ ତାଙ୍କ ପରିବାରକୁ ଧମକ ଚମକ ଦେଉଛନ୍ତି। ଏହି ଘଟଣାରେ ପୋଲିସର ହାତ ରହିଛି।

ପୀଡିତାଙ୍କ ଦାଦା ଆଜି ସକାଳେ ସମ୍ବାଦଦାତାଙ୍କ ସମ୍ମୁଖରେ ତାଙ୍କ ଭାଇକୁ ହତ୍ୟା କରାଯାଇଛି ଏବଂ ଏହି ଘଟଣାରେ ପୋଲିସ ସାମିଲ  ଅଛି ବୋଲି ଖୋଲାଖୋଲି ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ପୀଡିତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଧମକ ଚମକ ମିଳୁଥିବା ଅଭିଯୋଗ ଆଣିଛନ୍ତି। ଜଣେ ସଦସ୍ୟ କହିଛନ୍ତି, ‘ଆମେ ଯେମିତି କେସ ଫାଇଲ କରିଛୁ, ଅଭିଯୁକ୍ତଙ୍କ ବଡ ଭାଇ ଆମକୁ ଧମକ ଦେବାକୁ ଆରମ୍ଭ କରିଥିଲେ। ସେ ବାରମ୍ବାର କହୁଥିଲେ, ସାବଧାନ, ମୋ ବାପା ସବ୍‌-ଇନ୍ସପେକ୍ଟର ।’

କାନପୁର ପୋଲିସ ଚିଫ ଡାକ୍ତର ପ୍ରୀତିନ୍ଦର ସିଂହ ଏକ ଭିଡିଓ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି, ‘ଯେତେବେଳେ ଡାକ୍ତରୀ ପରୀକ୍ଷା ଚାଲିଥିଲା, ସେହି ସମୟରେ ପୀଡିତାଙ୍କ ବାପା ଚା’ ପିଇବା ପାଇଁ ବାହାରକୁ ଯାଇଥିଲେ। ଆମେ ଜାଣିବାକୁ ପାଇଲୁ, ତାଙ୍କର ମୃତ୍ୟୁ ଏକ ଟ୍ରକ ଦୁର୍ଘଟଣାରେ ହୋଇଛି। ତାଙ୍କୁ ତୁରନ୍ତ କାନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆମେ ଦୁର୍ଘଟଣାର ମାମଲା ରୁଜୁ କରିଛୁ ଏବଂ ଘଟଣାର ତଦନ୍ତ କରୁଛୁ।’

ଏଠି କହି ରଖିବୁ, କାନପୁର ପୋଲିସ ମଙ୍ଗଳବାର ଅଭିଯୋଗ ପାଇବା ପରେ ମାମଲା ଦାଏର କରିଥିଲା। କାନପୁର ବରିଷ୍ଠ ପୋଲିସ ଅଧିକାରୀ ବୃଜେଶ ଶ୍ରୀବାସ୍ତବ କହିଛନ୍ତି, ପୀଡିତାଙ୍କ ବାପା ଗଣଦୁଷ୍କର୍ମ ମାମଲା ଦାଏର କରିଥିଲେ। ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ପୀଡିତାଜଣକ ଠିକ୍‌ ଅଛନ୍ତି। ଆମେ ଯାଞ୍ଚ ପାଇଁ ୫ଟି ଟିମ୍‌ ଗଠନ କରିଛୁ।

You might also like