ଉନ୍ନାଓରେ ଗଣବଳାତ୍କାର ପୀଡିତାଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ

ଉନ୍ନାଓ: ଉନ୍ନାଓରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି ୫ ଜଣ ଯୁବକ । ଗୁରୁବାର ସକାଳେ ଘଟିଛି ଏହି ଭୟଙ୍କର ଘଟଣା। ପୀଡିତାଙ୍କ ବାପା ଖବର ଦେବା ପରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗମ୍ଭୀର ରହିଛି। ତାଙ୍କ ଶରୀରର ୬୦ରୁ ୭୦ ଭାଗ ପୋଡ଼ି ଯାଇଛି। ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରୁ ୨ ଜଣ ଗଣବଳାତ୍କାର ଘଟଣାର ଅଭିଯୁକ୍ତ ବୋଲି ପୋଲିସ କହିଛି। ତେବେ ସେମାନଙ୍କୁ ଜାମିନ ମିଳିଥିଲା।

ପୀଡିତାଙ୍କ ବୟାନ ଦେଇ କହିଛନ୍ତି, ଗୁରୁବାର ପ୍ରତ୍ୟୁଷରେ ସେ ରାୟବରେଲି ଯିବା ପାଇଁ ଟ୍ରେନ ଧରିବା ଲାଗି ବୈସବାରା ବିହାର ରେଳ ଷ୍ଟେଶନ ଯାଉଥିଲେ। କିଛି ବାଟ ଯିବା ପରେ ଗାଁର ହରିଶଙ୍କର ତ୍ରିବେଦୀ, କିଶୋର, ଶୁଭମ୍‌, ଶିବମ୍‌ ଏବଂ ଉମେଶ ତାଙ୍କୁ ଘେରି ଯାଇଥିଲେ। ଏକ ବାଡିରେ ତାଙ୍କ ମୁଣ୍ଡକୁ ପିଟିବା ସହ ଏକ ଛୁରୀରେ ଏକାଧିକ ଥର ଆକ୍ରମଣ କରିଥିଲେ। ଏହି ସମୟରେ ସେ ବେହୋସ ହୋଇ ତଳେ ପଡ଼ିଯିବାରୁ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମାମଲାର ଶୁଣାଣି ଥିବାରୁ ରାୟବରେଲି ଯିବା ପାଇଁ ପୀଡିତା ଷ୍ଟେଶନ ଯାଉଥିଲେ। ଏହି ସମୟରେ ଏହି ଗଣବଳାତ୍କାର ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କ ସମେତ ୫ ଜଣ ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏକାଠି ହୋଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ।

ଅନ୍ୟପକ୍ଷେ ପୁଲିସ କହିଛି, ଏହି ଘଟଣା ପରେ ପୀଡିତାଙ୍କ ବୟାନକୁ ଆଧାର କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଗତ ମାର୍ଚ୍ଚମାସରେ ୨୦ ବର୍ଷୀୟ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏନେଇ ସେ ପୋଲିସରେ ଅଭିଯୋଗ ପରେ ମାମଲା କୋର୍ଟରେ ବିଚାରଧୀନ ଥିଲା। ଏହି ମାମଲାର ଶୁଣାଣି ପାଇଁ ସେ ଆଜି ଯାଉଥିବାବେଳେ ତାଙ୍କୁ ପୋଡିଦେଇଥିବା ଅଭିଯୋଗ ହୋଇଛି ।

You might also like