ଅମାନୁଷିକ କାଣ୍ଡ: ଅମୃତଭଣ୍ଡା ଖାଇଦେବାରୁ ଗାଈର ପେଟ ଚିରି ବାହାର କଲେ ଦୋକାନୀ

  • ମଣିଷର ଅମାନୁଷିକ କାଣ୍ଡ
  • ଗାଈ ଖାଇଦେଲା ଅମୃତଭଣ୍ଡା
  • ପେଟ ଚିରି ଅମୃତଭଣ୍ଡା ବାହାର କଲେ ଦୋକାନୀ

ରାୟଗଡ: ସାମାନ୍ୟ ଏକ ଅମୃତଭଣ୍ଡାର ମୂଲ୍ୟ କ’ଣ ଜୀବନ ଠାରୁ ବହୁତ ବଡ଼ ? ବିବେକ ବୁଦ୍ଧିର ବିଚାର କରିପାରୁନଥିବା ପଶୁପକ୍ଷୀଙ୍କ ଉପରେ ଫଳ ପାଇଁ ଅକଥନୀୟ ଅତ୍ୟାଚାର କରିବା ସତରେ କେତେଦୂର ଯୁକ୍ତିଯୁକ୍ତ? ଦୁନିଆର ହାନିଲାଭ, ଭଲମନ୍ଦ ପ୍ରତି ଅଜ୍ଞ ଥିବା ପଶୁଜନ୍ତୁଙ୍କୁ ବାରମ୍ବାର ନିର୍ଯାତନା ଦେଇ କ’ଣ ପାଉଛି ଏ ମଣିଷ ସମାଜ ?

ପୁଣି ନିରୀହ ଜୀବ ଉପରେ ମଣିଷର ବର୍ବରତା। ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି।  ବାରମ୍ବାର ଏପରି ବର୍ବରତା ତଥା ନୃଶଂସତାର ସୀମା ପାର କରୁଛି ମଣିଷ। ମଣିଷ ହୋଇ କରୁଛି ଅମଣିଷ କାମ। ଏବେର ଯୁଗରେ ମଣିଷ ଯେପରି ରାକ୍ଷସ ପାଲଟି ଯାଇଛି। ମହାରାଷ୍ଟ୍ରର ରାୟଗଡ଼ରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଗୋଟିଏ ଅମୃତଭଣ୍ଡା ପାଇଁ ଗାଈର ପେଟ ଚିରି ଦେଇଛନ୍ତି ବ୍ୟବସାୟୀ।

ଅମତୃଭଣ୍ଡା ପାଇଁ ରାକ୍ଷସ ପାଲଟିଗଲେ ଫଳ ବ୍ୟବସାୟୀ। ତୈଫିକ୍‌ ବଶିର ମୁଜାୱାର ନାମକ ଜଣେ ଫଳ ଦୋକାନୀ କେଇଟା ଟଙ୍କା ପାଇଁ ଭୁଲିଗଲା ମଣିଷ ପଣିଆ। ଘଟଣାଦିନ ତୈଫିକ୍ ଦୋକାନ ଭିତରେ ବସିଥିବା ବେଳେ ଅଚାନକ୍ ଏକ ଗାଈ କେଉଁଠି ଥିଲା କେଜାଣି ପଳାଇ ଆସି ଏକ ଅମୃତଭଣ୍ଡା ଖାଇଦେଇଥିଲା। ତେବେ ଏକଥା ଦେଖି ରାଗିପାଚି ଲାଲ ହୋଇଯାଇଥିଲେ ସେ। ହିତାହିତ ଜ୍ଞାନ ଭୁଲି ରାଗରେ ରାଗରେ ଦୋକାନ ଭିତରକୁ ପଶି ଏକ ଧାରୁଆ ଛୁରୀ ଆଣି ଗାଈର ପେଟକୁ ଚିରି ପକାଇଥିଲେ। ଏବଂ ନୀରିହ ପ୍ରାଣୀର ପେଟରୁ ଅମୃତଭଣ୍ଡା ବାହାର କରି ଆଣିଲେ।

ତେବେ ଏହି ନାରକୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ କିଛି ନଜାଣିଲା ପରି ଦୋକାନରେ ପୁଣି ବସିଗଲା। ଛୁରୀରେ ପେଟ କାଟିଦେବାରୁ ଗାଈ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଆଉ ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗାଈଟିକୁ ପଶୁ ଡାକ୍ତରଖାନା ନେଇଗଲେ। ଏବେ ଗାଈର ଅବସ୍ଥା ସଙ୍କଟାପନ୍ନ ରହିଛି। ଯନ୍ତ୍ରଣା କମ୍‌ କରିବାକୁ ଇଞ୍ଜେକ୍ସନ ଦିଆଯାଇଛି ବୋଲି ଡାକ୍ତର କହିଛନ୍ତି।

ସେପଟେ ଗାଈର ମାଲିକ ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲାରେ ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ହାଜତକୁ ପଠାଇ ଦେଇଛନ୍ତି।

You might also like