ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ କଟକଣା ଆହୁରି କୋହଳ କରାଯିବ। ପୂର୍ବରୁ ଅଡ୍ ଇଭିନରେ ଦୋକାନ ଖୋଲାଯାଉଥିବା ବେଳେ କାଲିଠୁ ସବୁଦିନ ଦୋକାନ ଖୋଲିବ। ସକାଳ ୧୦ଟାରୁ ୮ ପର୍ଯ୍ୟନ୍ତ ଦୋକାନ ଖୋଲିବ। ଏହାସହ ରେଷ୍ଟୁରାଣ୍ଟ ଗୁଡିକୁ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି। ଏଥିରେ ୫୦ ପ୍ରତିଶତ ଗ୍ରାହକ ବସିପାରିବେ।ଅନ୍ୟପକ୍ଷରେ ସ୍କୁଲ, କଲେଜ ବନ୍ଦ ରହିବ ସାମାଜିକ, ରାଜନୈତିକ, କ୍ରୀଡା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକମାନେ ଏକାଠି ହେବା ଉପରେ କଟକଣା ବି ଜାରି ରହିବ। ଦିଲ୍ଲୀରେ କଟକଣା କୋହଳ ହେଉଥିଲେ ମଧ୍ୟ ସପ୍ତାହକ ପାଇଁ ପରୀକ୍ଷା ମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଯଦି ସଂକ୍ରମଣ ବୃଦ୍ଧି ପାଏ ତେବେ କଠିନ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ସେପଟେ, ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏବେ ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ଦୁଇ ପାଞ୍ଚ ପ୍ରତିଶତ । ଲଗାତର ୨୦ ଦିନ ଧରି ଏହା ୧୦ ପ୍ରତିଶତ ତଳେ ରହିଛି ।

ଏହା ସହିତ ଦିନକରେ ୩ ହଜାର ୩୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍‌ କେସ ରହିଛି ୧୦ ଲକ୍ଷ ୨୬ ହଜାର ୧୫୯ । ସେହିଭଳି ୯୫.୨୬ ପ୍ରତିଶତକୁ ବୃଦ୍ଧି ପାଇଛି ସୁସ୍ଥତା ହାର । ଏପର୍ଯ୍ୟନ୍ତ ଦେଶରେ ୨୫ କୋଟି ୩୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଗଲାଣି ।

ଅନ୍ୟପଟେ ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ ଏବେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୯୧ ହଜାର ୭୯୬ । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ତଳମୁହାଁ ସଂକ୍ରମଣ ହାର । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏବେ ସୁସ୍ଥତା ହାର ରହିଛି ୯୫.୪୮ ପ୍ରତିଶତ । ସେହିପରି ମହାରାଷ୍ଟ୍ରରେ ୧ ଲକ୍ଷ ୫୫ ହଜାର ୪୭୪ ଆକ୍ଟିଭ୍ କେସ ରହିଛି ।

ସେପଟେ ପଞ୍ଜାବରେ ୩ ମାସ ପରେ ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମଣ । ଅନ୍ୟପଟେ ଦେଶରେ ଏଯାଏଁ ମୋଟ ୨୫ କୋଟି ଲୋକଙ୍କୁ ଭ୍ୟାକ୍ସିନ୍ ଦିଆ ସରିଲାଣି । ପ୍ରାୟ ୨୦ କୋଟି ଲୋକେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ନେଇସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Other Stories