ଆଜିଠୁ ଆଇପିଏଲ୍, ରୋହିତଙ୍କ ସାମ୍ନା‌‌ରେ କୋହଲି

ଆଜିଠୁ ଆଇପିଏଲ୍ ଫିଭର

ନୂଆଦିଲ୍ଲୀ: ଆଜିଠୁ ଆଇପିଏଲ୍ ଫିଭର ଆରମ୍ଭ ହେଉଛି। କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗର ଚତୁର୍ଦ୍ଦଶ ସଂସ୍କରଣ। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ପରେ ମେ ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍। ୫୧ ଦିନ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ୬୦ଟି ମ୍ୟାଚ୍ ଖେଳାଯିବ। କରୋନା ପାଇଁ ଏ ବର୍ଷ ଫଟାଫଟ କ୍ରିକେଟରେ ଚିୟରଲିଡର ଓ ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ।

ଜମିବ ଫଟାଫଟ୍ କ୍ରିକେଟ ରୋମାଞ୍ଚ। କରୋନା କଟକଣା ଭିତରେ ଆରମ୍ଭ ହେଉଛି ମେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। କ୍ୟାପ୍ଟେନ କୋହଲିଙ୍କ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ପ୍ରତିଦ୍ୱନ୍ଦ୍ୱୀ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଇପିଏଲ୍ ସିଜିନ ୧୪ର କ୍ୱାଲିଫାୟର-ୱାନ୍‌ ମେ ୨୫ରେ, ମେ ୨୬ରେ ଏଲିମିନେଟର ଏବଂ ମେ ୨୮ ତାରିଖରେ ଖେଳାଯିବ କ୍ୱାଲିଫାୟର-ଟୁ ମ୍ୟାଚ୍। ମେ ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଯୋଜନା ରହିଛି। ଟୁର୍ଣ୍ଣାମେଂଟରେ ମୋଟ ୫୬ ଟି ଗ୍ରୁପ ମ୍ୟାଚ୍ ଏବଂ ୬ଟି ସ୍ଥାନରେ ନକଆଉଟ୍ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ଣ ସାଢେ ୩ଟା ଏବଂ ଦ୍ୱିତୀୟ ମ୍ୟାଚ୍ ସାଢେ ୭ଟାରେ ଖେଳାଯିବ। ପ୍ରଥମ ଥର ପାଇଁ କୌଣସି ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିପାରିବେ ନାହିଁ।

ଗତବର୍ଷ ଆଇପିଏଲ୍ ୟୁଏଇରେ ଆୟୋଜିତ ହୋଇଥିବା ବେଳେ, ଚଳିତବର୍ଷ ଭାରତର ୬ଟି ସ୍ଥାନରେ ମ୍ୟାଚ ଖେଳାଯିବ। ଆଇପିଏଲ ଆରମ୍ଭ ପୂର୍ବରୁ କିଛି ଖେଳାଳି କରୋନା ଆକ୍ରାନ୍ତ ହୋଇଥିବାରୁ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ଆକ୍ରାନ୍ତଙ୍କ ତାଲିକାରେ ଦିଲ୍ଲୀ କ୍ୟାପିଟାଲସ, ରାଜସ୍ଥାନ ରୟାଲସ, ପଂଜାବ କିଙ୍ଗସ ଓ ଚେନ୍ନାଇ ସୁପର କିଙ୍ଗସର ଖେଳାଳି ରହିଛନ୍ତି। ଦେବଦ୍ୟୁତ ପଡିକଲ, ଅକ୍ଷର ପଟେଲ, ନୀତିଶ ରାଣା ଓ ଡାନିଏଲ ସାମସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପରାମର୍ଶଦାତା କିରଣ ମୋରେ ମଧ୍ୟ କରୋନା ଆକ୍ରାନ୍ତ। ଆଇପିଏଲର ୧୦ଟି ମ୍ୟାଚ ଖେଳାଯିବାକୁ ଥିବା ମୁମ୍ବାଇର  ୱାଙ୍ଖଡେ ଷ୍ଟାଡିୟମର ୧୦ଜଣ ଗ୍ରାଉଣ୍ଡ ଷ୍ଟାଫ୍ ସଂକ୍ରମିତ ହୋଇଛନ୍ତି।  ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ମୁମ୍ବାଇରୁ ହେବାକୁ ଥିବା ମ୍ୟାଚ ଗୁଡିକ ସ୍ଥାନାନ୍ତର ହେବ ନାହିଁ ବୋଲି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଘୋଷଣା କରିଛନ୍ତି।

You might also like