କରୋନା ଔଷଧ ବାହାର କଲେ ଫ୍ରାନ୍ସ ଗବେଷକ !
ପ୍ୟାରିସ୍: ବିଶ୍ୱର ୧୮୮ ଦେଶରେ ବର୍ତ୍ତମାନ କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରିଛି। ଏହି କିଲର ଭାଇରସ୍ ବିଶ୍ୱରେ ୧୩ ହଜାର ଲୋକ ଜୀବନ ହରାଇଲେଣି। ବୈଜ୍ଞାନିକ ଏବଂ ଗବେଷକମାନେ ଏଇ ମହାମାରୀର ଚିକିତ୍ସା ପାଇଁ ଔଷଧ ଏ ପର୍ଯ୍ୟନ୍ତ ବାହାର କରି ପାରି ନାହାନ୍ତି। ଯଦିଓ ଆମେରିକା ଭ୍ୟାକ୍ସିନ ବାହାର କରିଛି ବୋଲି ଦାବି କରିଛି ତେବେ ଏହା ୧୮ ମାସ ପରେ ଉପଲବ୍ଧ ହେବ ବୋଲି କହିଛି।
ସେହିପରି ଚୀନ୍ ଭ୍ୟାକ୍ସିନ ବାହାର କରିଛି ବୋଲି ଦାବି କରିଛି। ତେବେ ଏହା ଉପଲବ୍ଧ ହେବାର ସମୟ କହିନାହିଁ। ଅନ୍ୟପକ୍ଷେ ଭାରତର ଏକ ଔଷଧ କମ୍ପାନୀ କରୋନା ଚିକିତ୍ସା ପାଇଁ ଔଷଧ ବାହାର କରି ପାରିବ ବୋଲି କହିଛି। କିନ୍ତୁ ଏହା ୬ ମାସ ପରେ ଉପଲବ୍ଧ ହେବ ବୋଲି କହିଛି। ଏପରି ପରିସ୍ଥିତିରେ ପ୍ୟାରିସର ଗବେଷକମାନେ କରୋନା ଚିକିତ୍ସା ପାଇଁ ଔଷଧ ବାହାର କରି ପାରିଛନ୍ତି ବୋଲି ଦାବି କରିଛନ୍ତି।
ପ୍ରଫେସର ଦିଦିଅସ୍ ରାବୋଲଟ୍ ଦାବି କରିଛନ୍ତି, ଏହି ନୂଆ ପଦ୍ଧତିରେ ଚିକିତ୍ସା କଲେ ମାତ୍ର ୬ ଦିନ ମଧ୍ୟରେ ଏହି କିଲର ଭାଇରସର ପ୍ରସାରକୁ ରୋକି ହେବ। ଫ୍ରାନ୍ସ ସରକାର କରୋନା ଚିକିତ୍ସା ପଦ୍ଧତି ଉପରେ ଗବେଷଣା ପାଇଁ ରାବୋଲ୍ଟଙ୍କୁ ମନୋନୀତ କରିଥିଲେ। ପ୍ରଫେସରଙ୍କ କହିବା ଅନୁଯାୟୀ, କୋବିଡ୍-୧୯ ରୋଗୀଙ୍କୁ ଯଦି କ୍ଲୋରୋକୁଇନ ଦିଆଯାଏ, ତେବେ ରୋଗୀ ଦ୍ରୁତ ଗତିରେ ଠିକ୍ ହେଉଥିବା ପରିଲକ୍ଷିତ ହେଉଛି। ତା’ଛଡ଼ା ଭାଇରସର ପ୍ରସାର ମଧ୍ୟ ଯଥେଷ୍ଟ କମ୍ ହେଉଛି।
ସୂଚନାଥାଉ କି, ୧୯୪୦ ମସିହାରୁ ମ୍ୟାଲେରିଆର ଚିକିତ୍ସା କ୍ଲୋରୋକୁଇନ୍ ଦ୍ୱାରା ହୋଇ ଆସୁଅଛି। ରାବୋଲ୍ଟଙ୍କ କହିବା ଅନୁଯାୟୀ, ପ୍ରାୟ ୨୪ ଜଣ କରୋନା ରୋଗୀଙ୍କୁ ସେ ଏହି ଔଷଧ ଦେଇଥିଲେ। ସମସ୍ତ ରୋଗୀ ନିଜ ଇଚ୍ଛାରେ ଏହି ଔଷଧ ଖାଇଥିଲେ। ରୋଗୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ୬୦୦ ଏମସିଜିର କ୍ଲୋରୋକୁଇନ୍ ଦେଇଥିଲେ। ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। କାରଣ ଏହା ଦ୍ୱାରା ସାଇଡ୍ ଇଫେକ୍ଟ ଭୟ ମଧ୍ୟ ଥିଲା ।
ପ୍ରଫେସର ରାବୋଲ୍ଟଙ୍କ କହିବା ଅନୁଯାୟୀ, ଯେଉଁ ରୋଗୀଙ୍କୁ କ୍ଲୋରୋକୁଇନ୍ ଔଷଧ ଦିଆଯାଇ ନ ଥିଲା ସେମାନେ ୬ ଦିନ ପରେ ମଧ୍ୟ କରୋନା ଭାଇରସ୍ ସହ ଲଢୁଥିଲେ । ଅନ୍ୟପକ୍ଷେ ଯେଉଁମାନଙ୍କୁ ଏହି ଔଷଧ ଦିଆଯାଉଥିଲା ସେମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକ ରୋଗମୁକ୍ତ ହୋଇ ପାରୁ ନ ଥିଲେ।
ଏଠି କହି ରଖିବୁ, ଚୀନରେ ମଧ୍ୟ କରୋନ ରୋଗୀଙ୍କ ଚିକିତ୍ସା ପାଇଁ କ୍ଲୋରୋକୁଇନ୍ ଫସଫେଟ୍ ଏବଂ ହାଇଡ୍ରୋକ୍ଲୋରୋକୁଇନ୍ ଔଷଧ ବ୍ୟବହାର କରାଯାଉଥିଲା। ଏହା ବ୍ୟତୀତ ଏଚଆଇଭି ମେଡିସିନ ମଧ୍ୟ ଦିଆଯାଉଥିଲା ।