ପ୍ରବାସୀ ଶ୍ରମିକଙ୍କୁ ଦୁଇମାସ ମାଗଣା ଖାଦ୍ୟଶସ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ: ଗୁରବାର ୨୦ ଲକ୍ଷ କୋଟି ଆତ୍ମ ନିର୍ଭର ଭାରତ ଯୋଜନାର ଦ୍ୱିତୀୟ ପର୍ଯ୍ୟା ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଅର୍ଥ ଘୋଷଣା ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି, ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜିର ଏହି ପ୍ୟାକେଜ୍‌ରେ ପ୍ରାବାଶୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ଅସୁବିଧା ଭୋଗ କରୁଥିବା ଖବର ଶୁଣିବାକୁ ମିଳୁଛି। ତେଣୁ ଏହି ସମସ୍ୟାକୁ ଆଖି ଆଗରେ ରଖି ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସମସ୍ତ ପ୍ରବାସୀଙ୍କୁ ଆଗମୀ ଦୁଇ ମାସ ଯାଏ ପ୍ରାୟ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହି ଦୁଇ ମାସ ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ କିମ୍ବା ଗହମ ମିଳିବ। ଯେଉଁ ପ୍ରବାସୀ ଶ୍ରମିକଙ୍କ ନିକଟରେ ରାସନ କାର୍ଡ ନ ଥିବ କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ହୋଇ ନ ଥିବେ ସେମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

କେବଳ ସେତିକି ନୁହେଁ, ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହି ଖାଦ୍ୟ ଶସ୍ୟ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ନିର୍ମଳା କହିଛନ୍ତି। ଏଥିରେ ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ। ଏଥିପାଇଁ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିର୍ମଳା ସୂଚନା ଦେଇଛନ୍ତି।

ସେହିପରି ଦେଶରେ ଲାଗୁ ହେବ ଓ୍ୱାନ୍ ନେସନ୍ ଓ୍ୱାନ ରାସନ୍ କାର୍ଡ। ଏହାଦ୍ୱାରା ପ୍ରବାସୀ ଶ୍ରମିକ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ ସେଠାରୁ ସୁଲଭ ଦରରେ ଖାଦ୍ୟଶସ୍ୟ ପାଇପାରିବେ। ଆସନ୍ତା ଅଗଷ୍ଟ ସୁଦ୍ଧା ଦେଶର ୨୩ଟି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଏହି ଯୋଜନା ଲାଗୁ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ।

ସେପଟେ ଉଠା ଦୋକାନୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜଣେ ଉଠାଦୋକାନୀ ୧୦ ହଜାର  ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସେହିପରି ମୁଦ୍ରା ଶିଶୁ ଋଣ ଯୋଜନାରେ ଯେଉଁ ବ୍ୟବସାୟୀମାନେ ନିୟମିତ ଦେୟ ପୈଠ କରୁଛନ୍ତି। ସେମାନଙ୍କୁ ୧ ବର୍ଷ ଯାଏଁ ସୁଧ ବାବଦରେ ୨ ପ୍ରତିଶତ ରିହାତି ମିଳିବ। ସେପଟେ ହାଉସିଂ କ୍ଷେତ୍ର ପାଇଁ ୭୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି

ମଧ୍ୟ ବର୍ଗଙ୍କ ପାଇଁ କ୍ରେଡିଟ୍ ଲିଙ୍କ୍ ସବ୍‌ସିଡି ସ୍କିମ୍ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ନାବାର୍ଡ ଜରିଆରେ ଅତିରିକ୍ତ ୩୦ ହଜାର କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ କାମ୍ପା ମାଧ୍ୟମରେ ଆଦିବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ୬ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

You might also like