ଆର୍ମି ପରେଡ୍‌ର ନେତୃତ୍ୱ ନେଲେ ତାନ୍ୟା

ନୂଆଦିଲ୍ଲୀ: ପ୍ରତିବର୍ଷ ପାଳନ ହୁଏ ସେନା ଦିବସ। ହେଲେ ଆଜିର ଏଇ ୭୨ ତମ ସେନା ଦିବସ ଅନ୍ୟଦିନଠାରୁ ସ୍ୱତନ୍ତ୍ର। ସ୍ୱତନ୍ତ୍ର ଏଥିପାଇଁ ଯେ, ଏଥର ସେନାଦିବସରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ସମ୍ମାନ। ଏଥର ଆର୍ମି ପରେଡକୁ ଲିଡ୍‌ କରିଛନ୍ତି ଜଣେ ମହିଳା କ୍ୟାପ୍ଟେନ୍‌ ତାନ୍ୟା ଶେରଗିଲ। ତାନ୍ୟା ଏଥିପାଇଁ ସ୍ୱତନ୍ତ୍ର ଯେ, ତାଙ୍କ ପରିବାରର ୪ର୍ଥ ପୀଢି ଭାବେ ତାନ୍ୟା ସେନାବାହିନୀରେ ଯୋଗ ଦେଇ ଦେଶ ସେବା କରୁଛନ୍ତି।

ସେନା ଦିବସରେ ବୁଧବାର  ଜଣେ ମହିଳା ଅଧିକାରୀ କ୍ୟାପ୍ଟେନ୍‌ ତାନ୍ୟା ଶେରଗିଲ ପୁରୁଷମାନଙ୍କର ନେତୃତ୍ୱ ନେଇଥିଲେ। ଶେରଗଲ ସେନାର ସିଗ୍ନାଲ କୋରରେ କ୍ୟାପ୍ଟେନ ଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେଶନରେ ବିଟେକ୍‌ କରିବା ପରେ ସେନାରେ ଯୋଗ ଦେଇଥିଲେ ତାନ୍ୟା। ତାଙ୍କର ବାପା ଆର୍ଟିଲାରୀ, ଜେଜେବାପା ଆର୍ମଡ୍‌ ଏବଂ ତାଙ୍କ ବାପାଙ୍କ ଜେଜେବାପା ଇନ୍‌ଫେଣ୍ଟ୍ରିଂରେ ରହି ଦେଶ ସେବା କରୁଥିଲେ।

ଗତ ବର୍ଷ ଭାବନା କସ୍ତୁରୀ ଗଣତନ୍ତ୍ର ଦିବସରେ ସବୁ ପୁରଷଙ୍କ ନେତୃତ୍ୱ ନେଇଥିଲେ। ଏପରି ଦାୟିତ୍ୱ ନେବାରେ ସେ ଥିଲେ ପ୍ରଥମ ମହିଳାର । ତେବେ ତାନ୍ୟା ଏଥିପାଇଁ ସ୍ୱତନ୍ତ୍ର ଯେ, ସେ ଇଞ୍ଜିନିୟରିଂ ପଢିବା ପରେ ସେନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହି ଅବସରରେ  ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ମଧ୍ୟ ଏହି ସେନା ଦିବସକୁ ସ୍ୱତନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ,  ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଜମ୍ମୁ କଶ୍ମୀରବାସୀ ଦେଶର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି।

ସେନା କେବେ ନାମ, ଜାତି, ଧର୍ମରେ ଭେଦଭାବ କରେ ନାହିଁ। କେବଳ ନିଜ ଲକ୍ଷ୍ୟ ପ୍ରତି ସବୁବେଳେ ସତର୍କ ରହିଥାଏ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ସେନା ଦେଶବାସୀଙ୍କ ବିଶ୍ୱାସ ଜିତିବ ବୋଲି ସେ କହିଛନ୍ତି। ଏହି ଅବସରରେ ଜେନେରାଲ ମନୋଜ ମୁକୁନ୍ଦ ଯବାନଙ୍କୁ ମେଡାଲ ଓ ପଦକ ପ୍ରଦାନ କରିଛନ୍ତି।

ଗତ ମାସରେ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଆତଙ୍କବାଦୀ ଓ ପାକିସ୍ତାନକୁ ସେ କଡ଼ା ଚେତାବନୀ ଦେଇଥିଲେ। ଏମିତିକି ଗତ ଶନିବାର କହିଥିଲେ, ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ସେନା ପ୍ରସ୍ତୁତ ଅଛି। ଏବେ ସେନାକୁ ଆହୁରି ମଜଭୁତ କରିବା ପାଇଁ ଆମୂଳଚୁଳ ପରିବର୍ତ୍ତନ ହେଉଛି।

 

You might also like