ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ବୟାନର ଜବାବ ଦେଲେ ଶିୟା ଧର୍ମଗୁରୁ

ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍’ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ହମିଦ ଅନ୍‌ସାରୀ।   

ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଏମିତି କିଛି ପ୍ରକଟ ଓ ଅପ୍ରକଟ ବିଚାରାଧାରାର ବିପଦରେ ଗତି କରୁଛି, ଯାହାଦ୍ୱାରା ଦେଶକୁ ‘ମୁଁ ଏବଂ ସେ’ ଚିନ୍ତାଧାରାରେ ବାଣ୍ଟିବାକୁ ଚେଷ୍ଟା କରାଯାଉଛି। କରୋନା ଭାଇରସ ପୂର୍ବରୁ ଭାରତ ଦେଶ ଧାର୍ମିକ କଟ୍ଟରତା ଓ ଆକ୍ରମଣାତ୍ମକ ରାଷ୍ଟ୍ରବାଦ ଭଳି ଦୁଇଟି ମହାମାରୀରେ ପୀଡ଼ିତ ହୋଇ ସାରିଛି। ଧାର୍ମିକ କଟ୍ଟରତା ପାଇଁ ସରକାର ସହିତ ସମାଜର ବ୍ୟବହାର କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ନେଇ  ଅନେକ କିଛି ଲେଖାଯାଇଛି। ଏହାକୁ ବୈଚାରିକ ବିଷ ବୋଲି ବି କୁହାଯାଇଛି। ଆକ୍ରମଣାତ୍ମକ ରାଷ୍ଟ୍ରବାଦ ସମୟରେ କୌଣସି ବ୍ୟକ୍ତିର ଅଧିକାର କଥା ବିଚାର କରାଯାଏ ନାହିଁ। ଫଳରେ ଲୋକଙ୍କର ଅଧିକାର କ୍ଷ୍ୟୁର୍ଣ୍ଣ ହୋଇଥାଏ। ସାରା ବିଶ୍ୱର ରେକର୍ଡ ଦେଖିଲେ ଜଣାପଡ଼ିବ ଯେ ଏହା ଅନେକ ସମୟରେ ଘୃଣାର ରୂପ ନେଇଥାଏ। ଏକ ଟନିକ ଭଳି ଏହାକୁ ବ୍ୟବହାର କରାଯାଏ। ଫଳରେ ବ୍ୟାପକ ବିଚାରଧାରା ରୂପରେ ପ୍ରତିଶୋଧ ପାଇଁ ପ୍ରେରିତ କରିଥାଏ। ଏହାର କିଛି ଅଂଶ ଆମ ଦେଶରେ ବି ଦେଖାଯାଏ ବୋଲି ଅନ୍‌ସାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶଭକ୍ତି ଏକ ଅଧିକ ସକାରାତ୍ମକ ଅବଧାରଣା ଅଟେ। କାରଣ ଏହା ସୈନ୍ୟ ଓ ସଂସ୍କୃତି  ଏହି ଦୁଇ ପକ୍ଷରୁ ରକ୍ଷାତ୍ମକ। ଏବଂ ଏହା ଆଦର୍ଶ ଭାବନକୁ ପ୍ରେରିତ କରିଥାଏ। କିନ୍ତୁ ଏହାକୁ ନିରଙ୍କୁଶତା ସହିତ ବିଚରଣ କରିବାକୁ ଦେବାକଥା ନୁହେଁ।  

ସୂଚନା ଥାଉକି, କଂଗ୍ରେସ ନେତା ଶଶି ଥରୁର ତାଙ୍କ ପୁସ୍ତକ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍‌’ରେ ହିନ୍ଦୁତ୍ୱ ସିଦ୍ଧାନ୍ତ ଓ ନାଗରିକତା ସଂଶୋଧନ ଆଇନ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଦୁଇ କାରଣରୁ ଭାରତୀୟ ହେବାର ମୂଳ କାରଣ ଉପରେ ହିଁ ପ୍ରଶ୍ନ ଚିହ୍ନ ଲାଗିଯାଉଛି ବୋଲି ଥରୁରୁ କହିଛନ୍ତି। ସେ ହିନ୍ଦ୍ୱତ୍ୱର ସିଦ୍ଧାନ୍ତକୁ ଧାର୍ମିକ ନୁହେଁ, ବରଂ ରାଜନୈତିକ ବୋଲି କହିଛନ୍ତି। ଏ ନେଇ ସେ କହିଛନ୍ତି, ବିଗତ ୬ ବର୍ଷରେ ବିଜେପି ଭାରତର ଅସ୍ତିତ୍ୱକୁ ନେଇ ଏମିତି ଚିନ୍ତାଧାରା ଉତ୍ପତନ କରିଛି ଯେ ଲାଗୁଛି ଯେମିତି ଭାରତ ଭିତରେ ଆଉ ଏକ ଭାରତ ତିଆରି ହୋଇପାରେ।

ତେବେ ହମିଦ ଅନ୍‌ସାରୀଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି ଶିୟା ଧର୍ମଗୁରୁ ୟୁସୁବ ଅବ୍ବାସ। ସେ ଏକ ଭିଡିଓ ଜାରି କରି କହିଛନ୍ତି, ଆମ ଦେଶରେ ଧାର୍ମିକ କଟ୍ଟରତା ନାହିଁ। ଆମ ଦେଶ ଏକତାର ପ୍ରତୀକ, ଯେଉଁଠି ହିନ୍ଦୁ, ମୁସ୍ଲିମ୍, ଶିଖ, ଈସାୟୀ, ୟହୁଦୀ ଓ ପାରସୀ ସମସ୍ତେ ମିଶିକି ରହୁଛନ୍ତି। ମୋ ଦେଶ ଅନେକ ରକମର ଫୁଲରେ ସଜା ହୋଇଥିବା ଏକ ଫୁଲଦାନି ପରି ବୋଲି ୟୁସୁବ ଅବ୍ବାସ କହିଛନ୍ତି।  

ସେ ଆହୁରି ମଧ୍ୟ କହିଛନ୍ତି ଯେ ହମିଦ ଅନସାରୀଙ୍କୁ ଯଦି କହିବାର ଥିଲା ତେବେ କୌଣସି ବ୍ୟକ୍ତିବିଶେଷଙ୍କୁ କହିପାରିଥାନ୍ତେ। ତାହା ନ କରି ପୂରା ଦେଶକୁ ଏଥିରେ ସାମିଲ କରିଦେଲେ। ଦେଶର ସ୍ୱାଧିନତା ପାଇଁ ସମସ୍ତେ ରକ୍ତ ବୁହାଇଛନ୍ତି। କିନ୍ତୁ ଅନ୍‌ସାରୀ କହୁଛନ୍ତି ଯେ ଆମ ଦେଶରେ କଟ୍ଟରତା ବଢୁଛି। ଏହା ଭୁଲ୍। ଆମ ଦେଶରେ କୌଣସି ଧାର୍ମିକ କଟ୍ଟରତା ବଢ଼ୁନାହିଁ ବୋଲି ଶିୟା ଧର୍ମଗୁରୁ କହିଛନ୍ତି।

You might also like