ଚୀନ ଆର୍ମି ପାଇଁ କାମ କରୁଛି ଉହାନ୍ ଲ୍ୟାବ୍ : ଦାବି କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ୱାସିଂଟନ୍ : କୋଭିଡ୍-୧୯ ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ସାରା ବଶ୍ୱ ପ୍ରୟାସ ଜାରି ରଖିଛି । ଉହାନ୍ ଲ୍ୟାବରୁ କରୋନର ଭାଇରସ୍ ବାହାରିଛି କି ନାହିଁ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । କରୋନା ପାଇଁ ଚାଲିଥିବା ଏହି ମନ୍ଥନ ମଧ୍ୟରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଶନିବାର ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କେବଳ ସାଧାରଣ ନାଗରିକ ପାଇଁ ନୁହେଁ ସାମରିକ କାର୍ଯ୍ୟକଳାପ ପାଇଁ କାମ କରୁଛି ଉହାନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି । ପୋମ୍ପିଓଙ୍କ ଏହି ବୟାନ ବର୍ତ୍ତମାନ ପାଇଁ ଗୁରୁତ୍ୱ ବହନ କରୁଛି, କାରଣ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ପୁନର୍ବାର ଅନୁସନ୍ଧାନ ଆରମ୍ଭ ହୋଇଛି ।

ଚୀନର ଉହାନ୍ ଲ୍ୟାବ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) ସହିତ ମିଳିତ ଭାବ କାମ କରୁଛି । ସାଧାରଣ ଲୋକଙ୍କ ହିତରେ କରାଯାଉଥିବା ଅନୁସନ୍ଧାନ ନାମରେ ସାମରିକ କାର୍ଯ୍ୟକଳାପ ପାଇଁ କାମ କରାଯାଉଥିବା ଦାବି କରିଛନ୍ତି ମାଇକ୍ ପୋମ୍ପିଓ ।  ଘଟଣାର ନିରପେକ୍ଷ ତଦନ୍ତ ଲାଗି ଚୀନ୍ ଏଯାଏଁ ରାଜି ହୋଇନି । ଅନ୍ତର୍ଜାତୀୟ ଚାପରେ ଚୀନ୍ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଟିମକୁ ତଦନ୍ତ ଅନୁମତି ଦେଇଥିଲେ ମଧ୍ୟ ଅଧିକାଂଶ ତଥ୍ୟ ପ୍ରମାଣ ନଷ୍ଟ କରି ଦେଇଥିବା କୁହାଯାଉଛି । ଭୂତାଣୁ ପଶୁଙ୍କଠାରୁ ମଣିଷକୁ ଆସିଥିବା ନେଇ WHO ଟିମରି ଚୀନ ଯୁକ୍ତି ସହ ଅଳ୍ପ ବହୁତେ ସହମତି ପ୍ରକାଶ କରିଥିଲେ ମଧ୍ୟ ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ର ଏହାକୁ ମାନିବାକୁ ମନା କରିଦେଇଛନ୍ତି ।

ସେପଟେ କିଛି ଦିନ ପୂର୍ବରୁ କରୋନାର ଉତ୍ପତ୍ତି ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ଲାଗି ଦେଶର ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ୍ । ଭୂତାଣୁର ଉତ୍ପତ୍ତିସ୍ଥଳ ସଂପର୍କରେ ୩ମାସ ଭିତରେ ତଥ୍ୟ ଓ ପ୍ରମାଣ ସମ୍ବଳିତ ରିପୋର୍ଟ ଦେବାକୁ କହିଛନ୍ତି ବାଇଡେନ୍ । ଏଥିଲାଗି ନିଜ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ସେ ଗୁଇନ୍ଦା ସଂସ୍ଥାକୁ ଆହ୍ବାନ ଦେଇଛନ୍ତି । ମିଳୁଥିବା ତଥ୍ୟର ବିଶ୍ଳେଷଣ ଓ ତର୍ଜମା ସାଙ୍ଗକୁ ଠୋସ୍ ପ୍ରମାଣ ହାତେଇବାକୁ ସେ କହିଛନ୍ତି । ଗୁଇନ୍ଦା ସଂସ୍ଥାଙ୍କୁ ତଦନ୍ତରେ ସହଯୋଗ ଲାଗି ଆମେରିକାର ନ୍ୟାସନାଲ ଲାବୋରେଟୋରୀକୁ କୁହାଯାଇଛି । ଏଥିସହ ଚୀନ୍କୁ ବି ତଦନ୍ତରେ ସହଯୋଗ ଲାଗି ଆହ୍ବାନ ଜଣାଇଛନ୍ତି ବାଇଡେନ୍ । ଚୀନ୍ ସରକାର ତଦନ୍ତରେ ସହଯୋଗ ନକଲେ ସତ କେବେ ବି ପଦାକୁ ଆସିବ ନାହିଁ ବୋଲି ବାଇଡେନ୍ କହିଛନ୍ତି ।

କୋଭିଡ୍ ଭୂତାଣୁର ଉତ୍ପତ୍ତି ସଂପର୍କିତ ସତ ପଦାକୁ ନଆସିଲେ ଭବିଷ୍ୟତରେ ଆ ସିବାକୁ ଥିବା ମହାମାରୀ ବିରୋଧରେ ଲଢେଇ ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ବର୍ତ୍ତମାନର ମହାମାରୀକୁ ବୁଝିବା ଏବଂ ଭବିଷ୍ୟତର ମହାମାରୀକୁ ରୋକିବା ଲାଗି ଭୂତାଣୁର ମୂଳ ଜାଣିବା ନିହାତି ଜରୁରୀ ମତ ପ୍ରକାଶ ପାଇଛି । କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଦୁଇଟି ମତବାଦ ରହିଛି । ପ୍ରଥମେ ବାଦୁଡିଙ୍କ ଦେହରୁ ବଜ୍ରକାପ୍ତା ଏବଂ ପରେ ଏଥିରେ ପରିବର୍ତ୍ତନ ଘଟି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥିବା ଚୀନର ବିଶେଷଜ୍ଞମାନେ କହୁଛନ୍ତି । ଅନ୍ୟପକ୍ଷରେ ଉହାନ୍ ଲ୍ୟାବରୁ ଦୁର୍ଘଟଣାକ୍ରମେ ଭୂତାଣୁ ଲିକ୍ ହୋଇଥିବା ଅଭିଯୋଗ ବି ଉଠିଛି ।

 

You might also like