କରୋନା ଆକ୍ରାନ୍ତ ହେଲେ ପତ୍ନୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ନେତା ଏଚ୍‌ ଡି ଦେବଗୌଡ଼ା ଏବଂ ତାଙ୍କ ପତ୍ନୀ ଚେନ୍ନମା କରୋନା ସଂକ୍ରମିତ ହୋଇଛନ୍ତି। ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବୁଧବାର ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦେବଗୌଡ଼ା ଟୁଇଟ କରି କହିଛନ୍ତି, ‘ମୋ ପତ୍ନୀ ଚେନ୍ନମା ଏବଂ ମୋର ଟେଷ୍ଟ ରିପେ।ର୍ଟ ପଜିଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆମେ ଦୁଇଜଣ ଆଇସୋଲେସନରେ ଅଛୁ। ଗତ କିଛି ଦିନ ଧରି ଆମ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ ସେମାନଙ୍କର କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ମୁଁ ପାର୍ଟି କର୍ମକର୍ତ୍ତା ଏବଂ ଶୁଭଚିନ୍ତକଙ୍କୁ ବ୍ୟସ୍ତ ନ ହେବା ପାଇଁ ମୁଁ ନିବେଦନ କରୁଛି।’

୮୭ ବର୍ଷ ବୟସ୍କ ଦେବଗୌଡ଼ା ୧୯୯୬ ଜୁନ୍‌ ୧ରୁ ୧୯୯୭ ଏପ୍ରିଲ ୨୧ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଏବେ ଦେବଗୌଡା କର୍ଣ୍ଣାଟକର ରାଜ୍ୟସଭା ସାଂସଦ ଅଛନ୍ତି।

ଏଠି କହିରଖିବୁ, କର୍ଣ୍ଣାଟକରେ ମଙ୍ଗଳବାର ୨, ୯୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯, ୯୨, ୭୭୯ରେ ପହଞ୍ଚିଲାଣି। ସେହିପରି ମଙ୍ଗଳବାର ରାଜ୍ୟରେ ୨୧ ଜଣ କରୋନା  ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୨, ୫୪୧ରେ ପହଞ୍ଚିଛି।

ଦେଶରେ କରୋନା ସ୍ଥିତି ଦେଖିଲେ, ଦିନକରେ ୫୩ ହଜାର ୪୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ କରୋନାରେ ୩୫୪ ଜଣ ପ୍ରାଣ ହରାଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି  । ସେହିପରି ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି।ବର୍ତ୍ତମାନ ୫ ଲକ୍ଷ ୫୨ ହଜାର ୫୬୬  ସକ୍ରିୟ ସଂକ୍ରମିତ ଥିବା ବେଳେ ଏଯାଏଁ କରୋନାକୁ ହରାଇ ସୁସ୍ଥ ହେଲେଣି ୧ କୋଟି ୧୪ ଲକ୍ଷ ୪୩ ହଜାର ୩୦୧ ଜଣ । ଅନ୍ୟପଟେ ଦେଶରେ ଏଯାଏଁ ଟିକା ନେଇଛନ୍ତି ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣ ।

You might also like