କରୋନାରେ ଆଖି ବୁଜିଲେ ମୁମ୍ବାଇ ଆକ୍ରମଣରେ ଏନଏସଜି କମାଣ୍ଡୋଙ୍କ ନେତୃତ୍ବ ନେଇଥିବା ଜେ.କେ. ଦତ୍ତ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇ ଜୀବନ ହାରିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ଜେ.କେ ଦତ୍ତ । ୭୨ ବର୍ଷ ବୟସରଙ୍କ ଜାତୀୟ ସୁରକ୍ଷା ଗାର୍ଡ଼(National Security Guard)ର ପୂର୍ବତନ ମୁଖ୍ୟ ଜୀବନ ହାରିଛନ୍ତି । କରୋନା ସଂକ୍ରମିତ ହେବାପରେ ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ଜେ.କେ ଦତ୍ତଙ୍କ ଅକ୍ସିଜେନ ସ୍ତର କମି ଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହୃଦଘାତ ହେବାରୁ ଗତକାଲି ଚିକତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଜେକେ ଦତ୍ତଙ୍କ ପରିବାର କହିଲେ ତାଙ୍କ ପତ୍ନୀ, ପୁଅ ଏବଂ ଝିଅ । ପୁଅ ନୋଏଡାରେ ରହୁଥିବା ବେଳେ ଝିଅ ଆମେରିକାରେ ରୁହନ୍ତି । ୧୯୭୧ ବ୍ୟାଚର ବଙ୍ଗ କ୍ୟାଡର ଆଇପିଏସ୍ ଅଧିକାରୀ ଜେ.କେ ଦତ୍ତ ୨୦୦୬ ରୁ ୨୦୦୯ ପର‌୍ୟ୍ୟନ୍ତ ଏନଏମଜିର ମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। ସେହିପରି ସେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

ସୂଚନାଯୋଗ୍ୟ ୨୬ ନଭେମ୍ବର ୨୦୦୮ ରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ୧୦ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରି ମହାରାଷ୍ଟ୍ରର ରାଜଧାନୀର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ। ନଭେମ୍ବର ୨୮ ସୁଦ୍ଧା ଆଇକନିକ୍ ତାଜ ହୋଟେଲ ବ୍ୟତୀତ ସମସ୍ତ ସ୍ଥାନକୁ ସୁରକ୍ଷିତ କରିସାରିଥିଲେ କମାଣ୍ଡୋ । ଆଉ ଏହାର ଦିନକ ପରେ ଏନଏସଜି କମାଣ୍ଡୋ ହୋଟେଲରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। କେବଳ ଜଣେ ଆତଙ୍କବାଦୀ ଅଜମଲ ଆମୀର କସାବ ଜୀବନ୍ତ ଧରାପଡିଥିଲେ ଏବଂ ୨୦୧୨ ରେ ତାକୁ ଫାଶୀ ଦିଆଯାଇଥିଲା।

You might also like