‘ମୋଦି ସରକାର ମହଙ୍ଗା ମାଡ଼କୁ କାବୁ କରିଛନ୍ତି’

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି।

ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ୱିତୀୟ ସାଧାରଣ ବଜେଟ୍‌।

ଅନ୍ୟପକ୍ଷରେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଆଜି ସକାଳେ ସେନ୍‌ସେକ୍ସ ହ୍ରାସ ପାଇଥିଲା। ସେନ୍‌ସେକ୍ସ ୪୦,୪୪୪.୪୮କୁ ହ୍ରାସ ପାଇଥିବା ବେଳେ ନିଫ୍ଟି ୮୧.୪୫ ପଏଣ୍ଟ ହ୍ରାସ ପାଇ ୧୧,୮୮୦.୬୫ରେ ପହଞ୍ଚିଥିଲା।

ସେପଟେ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା।

ସଂସଦରେ ବଜେଟ୍‌ ଉପସ୍ଥାପନ ସମୟରେ ସୀତାରମଣ କହିଛନ୍ତି, ଲୋକେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ମୋଦିଙ୍କୁ ଜିତାଇଛନ୍ତି।  ଗତ ୨ ବର୍ଷରେ ଆମେ ନୂଆ ୬୦ ଲକ୍ଷ ଟିକସଦାତାଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଛୁ।  GSTଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ତେବେ ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି GST ପ୍ରମାଣ କରିଛି। GST ଯୋଗୁ ଇନ୍ସପେକ୍ଟର ରାଜ୍‌ର ପରିସମାପ୍ତି ଘଟିଛି।’

କେନ୍ଦ୍ର ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ‘୨୦୨୦ ଏପ୍ରିଲରୁ ଟିକସ ସରଳୀକରଣ ବ୍ୟବସ୍ଥା ଲାଗୁ ହେବ। ଏହାସହ ୨୦୧୪-୧୯ରେ ୨୮୪ ବିଲିୟନ୍ ଡଲାର FDI ଆସିଛି। ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ ଅର୍ଥନୀତି। ମୋଦି ସରକାର ମହଙ୍ଗା ମାଡ଼କୁ କାବୁ କରିଛନ୍ତି।’

You might also like