କାଠମାଣ୍ଡୁ: କେନ୍ଦ୍ର ନେପାଳରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚର ମାଡି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ଫୁଟ/୨୦ ଫୁଟ ଉଚ୍ଚର କାଦୁଅ ଜମି ରହିଛି ।

ଗତକାଲି ଲଗାଣ ବର୍ଷା ପରେ ସିନ୍ଧୁପାଲଚୌକ ଜିଲ୍ଲାରେ ଅଚାନକ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ସବୁ ପାଣି ସୁଅରେ ଭାସି ଯାଇଥିଲା । ଲୋକମାନେ ନିଜ ଆସବାବପତ୍ର ନେବା ପାଇଁ ମଧ୍ୟ ସମୟ ପାଇ ନଥିଲେ। ବନ୍ୟାପାଣି ମାଡିବା ପରେ କିଛି ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ନେପାଳ ଆର୍ମି ପକ୍ଷରୁ ଯୁଦ୍ଧକାଳୀନ ଅପରେସନ ଚାଲିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୁଟାନ ରାଜଧାନୀ ଥିମ୍ପୁଠାରୁ ମାତ୍ର ୬୦ କିମି ଦୂର ଲୟା ପାଖରେ ଏକ ଗ୍ରାମ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଗାଁଟି ଦୁଇଟି ପାହାଡ ମଝିରେ ଏକ ନାଳ ନିକଟରରେ ଅବସ୍ଥିତ। ଗ୍ରାମବାସୀ ରାତିରେ ଶୋଇଥିବାବେଳେ ପାଣି ମାଡି ଆସିଥିଲା। ୨ଟି ହେଲିକପ୍ଟର ଲୋକଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ କରାଯାଇଛି।

ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି। ତିବ୍ବତ ସୀମାରେ ହିମସ୍ଖଳନ ଯୋଗୁଁ ଏଭଳି ଅଚାନକ ବନ୍ୟା ଆସିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।  ଅନ୍ୟପକ୍ଷରେ ଭୁଟାନରେ ମଧ୍ୟ ଅଚାନକ ବନ୍ୟା ପାଣି ମାଡି ଆସିବାରୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ।

ସୂଚନାଥାଉ କି, ମୌସୁମୀ ବାୟୁ ପ୍ରଭାବରେ ନେପାଳରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହିମାଳୟ ପାଦ ଦେଶରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ଆସିଛି। ମେଲାନସି, ଇନ୍ଦ୍ରାବତୀ ଓ ଗଣ୍ଡକୀ ନଦୀରେ ବଡ଼ ଧରଣର ବନ୍ୟା ହୋଇଛି। ପାହାଡ଼ରୁ ପାଣି ଖସି ନଦୀଗୁଡ଼ିକ ଫୁଲିବା ଯୋଗୁଁ ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । କେବଳ ଏତିକି ନୁହଁ, ନାରାୟଣୀ ନଦୀରେ ମଧ୍ୟ ବନ୍ୟା ଆସିଛି । ଭରତପୁର ପାଖରେ ନାରାୟଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

Other Stories