ଇଂଲଣ୍ଡ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଉଡିବ ନାହିଁ ବିମାନ
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଉଡିବ ନାହିଁ ବିମାନ। କରୋନା କାୟା ବିସ୍ତାର କରୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।
କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ବାତିଲ କରାଯାଇଥିଲା। ତେବେ ସଂକ୍ରମଣ ବ୍ୟାପୁଥିବା କାରଣରୁ ଏହି ନିଷ୍ପତ୍ତିକୁ ଆଗକୁ ବଢାଯାଇଥିବା ସୂଚନା ରହିଛି। ଭାରତରୁ ଇଂଲଣ୍ଡ୍ ଯାଉଥିବା ଓ ଇଂଲଣ୍ଡ୍ରୁ ଭାରତକୁ ଆସୁଥିବା ବିମାନଗୁଡ଼ିକର ସାମୟିକ ସ୍ଥଗିତକରଣ ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିନ୍ତୁ ଏହା ପରେ ବି ପୂରା ସତର୍କତାର ସହ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି।
A decision has been taken to extend the temporary suspension of flights to & from the United Kingdom till 7 January 2021: Union Civil Aviation Minister Hardeep Singh Puri pic.twitter.com/LgjsSSLxFM
— ANI (@ANI) December 30, 2020
ତେବେ ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍ ବ୍ୟାପୁଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶ ଇଂଲଣ୍ଡକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି।
ସେପଟେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଆସିଛି ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ଏ ସମ୍ପର୍କରେ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମଟ୍ଟ ହାନ୍ଙ୍କକ୍ କହିଛନ୍ତି ଯେ ପ୍ରଥମେ ଯେତେବେଳେ ୟୁକେରେ ୨ ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ ନେଇ ଚିହ୍ନଟ ହୋଇଥିଲା। ଏମାନେ କିଛି ସପ୍ତାହ ତଳେ ସାଉଥ ଆଫ୍ରିକାରୁ ଫେରିଥିଲେ। ତେବେ ସଂକ୍ରମଣ ବ୍ୟାପିବା ଆଗରୁ ବ୍ରିଟେନ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କାହିଁକିନା କରୋନାର ଏହି ନୂଆ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ଅପେକ୍ଷା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଯେଉଁମାନେ ସାଉଥ ଆଫ୍ରିକାରୁ ଫେରିଛନ୍ତି କିମ୍ବା ରୋଗୀ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରହିବା କୁହାଯାଇଥିବା ସଚିବ ସୂଚନା ଦେଇଛନ୍ତି।
ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।
ସେପଟେ ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ବି ଦିଆଯାଇଥିଲା। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ନେଇ ସୂଚନା ରହିଛି।
ତେବେ ମୋଟ ଉପରେ କହିବାକୁ ଗଲେ କରୋନାର ନୂଆ ଷ୍ଚ୍ରେନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ କରୋନା ମହାମାରୀ ପୁଣି ଯଦି କାୟାବିସ୍ତାର କରିବ ତେବେ ସ୍ଥିତି ଅଣାୟତ ହୋଇପାରେ ବୋଲି ଅନେକ କହିଛନ୍ତି।