ବିମାନ ଟିକେଟ ବାତିଲ କରିଥିବା ଯାତ୍ରୀ ଟଙ୍କା ଫେରସ୍ତ ପାଇବେ

ନୂଆଦିଲ୍ଲୀ:କୋଭିଡ୍-୧୯ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ। ଯଦି କୌଣସି ଯାତ୍ରୀ ଟଙ୍କା ଫେରାଇବାକୁ ଦାବି କରନ୍ତି, ତେବେ ବିନା ବାତିଲ୍ ଶୁଳ୍କରେ ଟଙ୍କା ଫେରାଇବାକୁ ଡିଜିସିଏ କହିଛନ୍ତି।

 ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଲକ୍‌ଡାଉନର ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଡିଜିସିଏ ପକ୍ଷରୁ ସମସ୍ତ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।  ଆବେଦନର ୩ ସପ୍ତାହ ମଧ୍ୟରେ ଟଙ୍କା ଫେରାଇବାକୁ  ଡିଜିସିଏ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି। 

ଅଧିକାଂଶ ଘରୋଇ ବିମାନ କମ୍ପାନୀ ବୁକିଂ ଟିକେଟ୍ ଟଙ୍କା ଫେରସ୍ତ କରିବାକୁ ମନା କରିଥିଲେ। ଅନ୍ୟପକ୍ଷେ ଉଡାଣ ସମୟ ଏବଂ ଦିନ ପୁନଃନିର୍ଦ୍ଧାରଣ ପାଇଁ ବିକଳ୍ପ ଦେଇଥିଲେ। ଏହାପରେ ଅନେକ ଯାତ୍ରୀ ଏନେଇ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶନାମା ଡିଜିସିଏ ପକ୍ଷରୁ ଜାରି କରାଯାଇଛି।  ବର୍ତ୍ତମାନ ଜାରି ରହିଥିବା ଲକ୍‌ଡାଉନ୍ ପିରିୟଡ଼ ମଧ୍ୟରେ ଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲ୍ କରି ଆବେଦନକାରୀ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

ସୂଚନାଥାଉ କି, ପ୍ରଥମ ପର୍ଯ୍ୟାୟ ଲକଡାଉନ ଏପ୍ରିଲ୍ ୧୪ରେ ଶେଷ ହେବାକୁ ଥିବାରୁ ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ସମସ୍ତ ବିମାନ କମ୍ପାନୀ ଟିକେଟ ବୁକିଂ କରିଦେଇଥିଲେ । 

You might also like