ପାକିସ୍ତାନରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କଲା ଲକ୍ଷ୍ନୌକୁ ଯାତ୍ରା କରୁଥିବା ବିମାନ
ନୂଆଦିଲ୍ଲୀ: ଶାରଜାହ(ୟୁନାଇଟେଡ୍ ଆରବ୍ ଏମିରେଟ୍ସ)ରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ପାକିସ୍ତାନର କରାଚିରେ ମେଡିକାଲ୍ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଇଣ୍ଡିଗୋର ଫ୍ଲାଇଟ୍ 6E 1412କୁ ଆଜି କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା।
ସୂଚନା ଅନୁସାରେ, ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଯୋଗୁ ବିମାନକୁ କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଏହାପରେ ଯାତ୍ରୀଙ୍କ ଚିକିତ୍ସା କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇ ପାରିନଥିଲା। ଏୟାରପୋର୍ଟ ମେଡିକାଲ୍ ଟିମ୍ ସମ୍ପୃକ୍ତ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏୟାରଲାଇନ୍ସ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଛି।
ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି, ମେଡିକାଲ୍ ଏର୍ମଜେନ୍ସି ଯୋଗୁ ଶାରଜାହରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ 6E 1412କୁ କରାଚିକୁ ଡାଇଭର୍ଟ କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ଯାତ୍ରୀଙ୍କୁ ବଞ୍ଚା ଯାଇ ପାରିଲାନି। ଏୟାରପୋର୍ଟ ମେଡିକାଲ୍ ଟିମ୍ ସମ୍ପୃକ୍ତ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଥାଉ କି, ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଏକ ବୋଇଂ ବିମାନ ଥିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏର୍ମଜେନ୍ସି ଳ୍ୟାଣ୍ଡିଂ କରିଥିଲା। ଏହି ସମୟରେ ବିମାନରେ ୧୦୪ ଜଣ ଯାତ୍ରୀ ଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଇଣ୍ଟରନ୍ୟାସନାଲ୍ ଟର୍ମିନାଲ୍ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିପରି ଗତବର୍ଷ ନଭେମ୍ବରରେ ସାଉଦି ଆରବରୁ ଭାରତ ଆସୁଥିବା ଏକ ବିମାନକୁ ପାକିସ୍ତାନର କରାଚିରେ ମେଡିକାଲ୍ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ସେହି ସମୟରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଯାତ୍ରୀଙ୍କର ହାର୍ଟ ଆଟାକ୍ ହୋଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇ ପାରିନଥିଲା।