ତାଉତେ ତାଣ୍ଡବ ! ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ; ସମୁଦ୍ର ମଝିରୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍

କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ ଆରବ ସାଗର ଅସ୍ଥିର, ଅଥୟ ଓ ବିପଦଜନ୍ନକ ଥିବାବେଳେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ରେସକ୍ୟୁ ଅପରେସନ ଶେଷରେ ସଫଳ ହୋଇଛି । କର୍ଣ୍ଣାଟକର ନ୍ୟୁ ମାଙ୍ଗାଲୋର ତଟରୁ ଅନତି ଦୂରରେ ଆଜି ଫସି ଯାଇଥିଲା ମତ୍ସ୍ୟଜୀବୀଙ୍କ ଏକ ଭେସାଲ ।

ଝଡ଼ ତୋଫାନରେ ଫସି ରହିଥିବା ମତ୍ସ୍ୟଜୀବୀମାନେ ଭିଡିଓ ବାର୍ତ୍ତା ଜରିଆରେ ତଟରକ୍ଷୀ ବାହିନୀର ସହାୟତା ଲୋଡ଼ିଥିଲେ । ସମୁଦ୍ରରେ ୫ ରୁ ୬ ମିଟର ଉଚ୍ଚ ଜୁଆର ଆସୁଥିବା ବେଳେ ପବନର ବେଗ୍ ମଧ୍ୟ ଅତି ଅଧିକ ରହିଥିଲା । ଏଭଳି ପରିସ୍ଥିତିରେ ସେଠାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଏୟାର ଲିଫ୍ଚ ଜରିଆରେ ମାଙ୍ଗାଲୋର ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନେ ସେମାନଙ୍କୁ NMPT ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

ତେବେ ବାତ୍ୟା ତାଉତେ ବେଳକୁ ବେଳ ଅତି ଭୟଙ୍କର ହେଉଛି । ରାତି ପ୍ରାୟ ୮.୩୦ ପରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ ପବନ ଘଣ୍ଟା ପ୍ରତି ବେଗ ୧୬୫ କିମି ରହିଛି । ଅନ୍ୟପଟେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଏହାର ତାଣ୍ଡବ ରଚି ସାରିଛି । ବାତ୍ୟାର ଏଭଳି କରାଳରୂପ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ରହିଛନ୍ତି । କେରଳରେ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ରାସ୍ତାରେ ପଡ଼ିଛି ।

ତେବେ ବାତ୍ୟା ସମୟରେ ରେସକ୍ୟୁ ପାଇଁ ଏନଡିଆରଏଫ୍ ଟିମ୍ ନିଯୁକ୍ତ ଅଛନ୍ତି । ଅନ୍ୟପଟେ ବାତ୍ୟା ଅମ୍ଫାନ ଭଳି ତାଉତେର ପ୍ରଭାବ ରହିବ ବୋଲି NDRF ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ତାଉତେ ମୁକାବିଲା ପାଇଁ NDRFର ୨୮ଟି ଟିମ୍ ପ୍ରସ୍ତୁତ ଅଛି । ବାତ୍ୟା ବେଳେ ଓ ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ସେମାନେ ନିୟୋଜିତ ହେବେ । ଗତ ଅମ୍ଫାନ ବାତ୍ୟାରେ ପବନର ବେଗ ରହିଥିଲା ୧୯୦ କିମି । ଏବେ ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଉତେର ଘଣ୍ଟାପ୍ରତି ସର୍ବାଧିକ ୧୮୫ କିମି ରହିବ । ଏହି ବତ୍ୟା ପ୍ରଭାବରେ କଚ୍ଚା ଘର, ଟିଣ ଛପର ଘର ଭାଙ୍ଗିବା ସହ ଗଛ ଉପୁଡ଼ିବ ବୋଲି ଆଶଙ୍କା କରାଯାଉଥିବା କହିଛନ୍ତି NDRF ଡିଜି ସତ୍ୟନାରାୟଣ ପ୍ରଧାନ ।

You might also like