ମାଛ ଧରୁଥିବା ବେଳେ ଯୁବକଙ୍କ ତଣ୍ଟିରେ ଅଟକିଗଲା ଜୀଅନ୍ତା ମାଛ, ଆଉ ତା’ପରେ…

କଲମ୍ବିଆ: ମାଛ ଧରୁଥିବା ବେଳେ ଯୁବକଙ୍କ ତଣ୍ଟିରେ ଅଟକିଗଲା ଜୀଅନ୍ତା ମାଛ। କଲମ୍ବିଆରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ତଣ୍ଟିରେ ମାଛ ଅଟକି ଯିବା ଯୋଗୁ ୨୪ ବର୍ଷୀୟ ଯୁବକଙ୍କ ଜୀବନ ମରଣ ମୁହଁକୁ ଠେଲି ହୋଇଯାଇଥିଲା। ଡାକ୍ତରଙ୍କ ପ୍ରଚେଷ୍ଟା ଯୋଗୁ ତାଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏହି ଖବରକୁ ନେଇ କଲମ୍ବିଆ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚା।

ସୂଚନା ଅନୁସାରେ, କଲମ୍ବିଆ ପିଭିଜୟର ସମ୍ପୃକ୍ତ ଯୁବକ ପେଶାରେ ଜଣେ ମତ୍ସଜୀବୀ। ଜାନୁଆରୀ ୨୩ରେ ମାଛ ଧରିବାକୁ ଯାଇଥିଲେ ଓ ୭ ଇଞ୍ଚର ଗୋଟିଏ ମାଛ ଧରିଥିଲେ। ଏହି ସମୟରେ ତାଙ୍କ ନଜରରେ ଆଉ ଏକ ମାଛ ପଡ଼ିଥିଲା। ଏହାକୁ ଧରିବାକୁ ଯାଇ ସେ ପୂର୍ବରୁ ଧରିଥିବା ଜୀଅନ୍ତା ମାଛକୁ ପାଟିରେ ଧରି ରଖିବା ସହ ଅନ୍ୟ ଏକ ମାଛକୁ ଧରିବା ପାଇଁ ପ୍ରୟାସ କରିଥିଲେ। ମାଛଟିକୁ ପାଟିରେ ସେ ଜୋରରେ ଧରି ନଥିବାରୁ ମାଛଟି ତାଙ୍କ ପାଟି ଭିତରକୁ ଚାଲି ଯାଇ ତଣ୍ଟିରେ ଅଟକି ଯାଇଥିଲା।

ଏହାପରେ ଯୁବକ ଜଣକ ହସ୍ପିଟାଲ୍‌ ଯାଇଥିଲେ। ତାଙ୍କ ତଣ୍ଟିରେ ମାଛଟି ଅଟକି ଯାଇଥିବା କଥା ସେ ଡାକ୍ତରଙ୍କୁ କହି ପାରୁନଥିଲେ। କେବଳ ସେ ଇଶାରାରେ କହିଥିଲେ ଯେ, ତାଙ୍କ ତଣ୍ଟିରେ କିଛି ଅଟକି ଯାଇଛି। ଯୁବକଙ୍କ ତଣ୍ଟିରେ ମାଛ ଅଟକି ଯାଇଥିବା କଥା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ଏକ୍ସ-ରେ ରିପୋର୍ଟ ସାମ୍ନାକୁ ଆସିଥିଲା। ଏକ୍ସ-ରେ ରିପୋର୍ଟରେ ଯୁବକଙ୍କ ତଣ୍ଟିରେ ମାଛ ଅଟକି ଯାଇଥିବା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଅପରେସନ୍‌ କରାଯାଇ ସମ୍ପୃକ୍ତ ଯୁବକଙ୍କ ତଣ୍ଟିରୁ ମାଛଟିକୁ ବାହାର କରାଯାଇଥିଲା। ଦୁଇ ଦିନ ହସ୍ପିଟାଲ୍‌ରେ ରହିବା ପରେ ଉକ୍ତ ଯୁବକଙ୍କୁ ଡିସ୍‌ଚାର୍ଜ ହୋଇଥିଲେ।

କିଛି ମାସ ତଳେ ଏଭଳି ଏକ ଘଟଣା ଇଜିପ୍ଟରେ ଘଟିଥିଲା। ଯେଉଁଠି ଜଣେ ବ୍ୟକ୍ତିଙ୍କ ତଣ୍ଟିରେ ମାଛ ଅଟକି ଯାଇଥିଲା।

You might also like