ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ

ଆଖି ଲାଲ ଲାଲ,ପଳାତକ ହୀରା ବ୍ୟବସାୟୀଙ୍କ ହାତରେ କ୍ଷତ ଚିହ୍ନ

ନୂଆଦିଲ୍ଲୀ : ଡୋମିନିକା ଜେଲରେ ବନ୍ଦ ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମେହୁଲ ଚୋକିସି ଏବେ ଡୋମିନିକା ପୋଲିସ ହାଜତରେ ଅଛନ୍ତି । ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ମେହୁଲ ଚୋକସି ଜେଲରେ ବନ୍ଦ ଥିବା ବେଳେ ତାଙ୍କ ହାତରେ କ୍ଷତ ଚିହ୍ନ ରହିଛି । ଆଖି ଲାଲ ଲାଲ ଦେଖାଯାଉଥିବା ବେଳେ ଶରୀରର ସମ୍ପୂର୍ଣ୍ଣ ଦୁର୍ବଳ ଦେଖାଯାଉଛି । କ୍ଷତ ହୋଇଥିବା ସ୍ଥାନ କଳା ପଡ଼ି ଯାଇଛି, ହାତରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଛି ।

ସେପେଟ ମେହୁଲ ଚୋକସିଙ୍କୁ ବଳପୂର୍ବକ ଭାବେ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଓକିଲ । ନିଜେ ଫେରାର ହୋଇନଥିଲେ, ତାଙ୍କୁ ମାଡ଼ ମାରି ଡୋମିନିକା ନିଆଯାଇଥିଲା । ମେହୁଲ ଚୋକସିଙ୍କୁ କଥିତ ଭାବେ ନିର୍ଯାତନା ଦିଆଯାଇଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ଅଗ୍ରୱାଲ । ମେହୁଲ ଚୋକସି କିପରି ଡୋମିନିକା ପହଞ୍ଚିଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନଆସିଲେ କିଛି କହିହେବ ନାହିଁ । ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରଚାଯାଇଛି । ମେହୁଲ ନିଜେ କଦାପି ଡୋମିନକା ପହଞ୍ଚି ନାହାନ୍ତି ବୋଲି କହି ସନ୍ଦେହ ପ୍ରକାଶ କରିଛନ୍ତି ଓକିଲ ବିଜୟ ଅଗ୍ରୱାଲ ।

ମେ ୨୩ ରବିବାର ଦିନ ମେହୁଲ ଚୋକସି ଅପରାହ୍ନ ୫.୩୦ ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଆଖାପାଖ ଅଞ୍ଚଳରେ ଖୋଜାଖୋଜି କଲାପରେ ବି ତାଙ୍କର ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟ ତଥା ଭାରତରେ ରହୁଥିବା ମେହୁଲ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଥିଲେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି ମେହୁଲ ଚୋକସି । ତେବେ ଏହି ଘଟଣା ପରେ ରୟାଲ ପୋଲିସ ଫୋର୍ସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ସେ ଯାଇଥିବା ରେଷ୍ଟୁରାଣ୍ଟ ବାହାରେ ତାଙ୍କର ଗାଡ଼ି ମିଳିଥିବା, ଆଉ ସେ କ୍ୟୁବା ପଳାୟନ କରିଥିବା ସନ୍ଦେହ କରାଯାଉଥିଲା । ତେବେ ଅନେକ ଖୋଜାଖୋଜି ପରେ ଡୋମିନିକାରେ ଧରାପଡ଼ିଥିଲେ ମେହୁଲ ଚୋକସି ।

ଭାରତର ପଳାତକ ବ୍ୟବସାୟୀ ଚୋକସି ଚୋକସି ଦୀର୍ଘ ଦିନ ଧରି ଆଣ୍ଟିଗୁଆର ଜଲି ହାରବର୍ ଅଞ୍ଚଳରେ ରହୁଥିଲେ । ଚୋକସିଙ୍କ ବିରୋଧରେ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଲାଗିଛି ।  ୨୦୧୮ ମସିହାରେ ମେହୁଲ ଚୋକସି ଗୁପ୍ତରେ ଭାରତ ଛାଡି ପଳାଇ ଯାଇଥିଲେ। ସେବେଠାରୁ ଦେଶର ଯାଂଚ ଏଜେନ୍ସି ସିବିଆଇ ଏବଂ ଇଡି ଟିମ୍ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ।

You might also like