ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ, ମୈଦାନରେ ହେଭିୱେଟ୍‌

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ସାଢ଼େ ୬ଟା ଯାଏ ଜାରି ରହିବ।ପଶ୍ଚିମବଙ୍ଗର ୩୦ଟି ଆସନରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷ ଭୋଟର। ଏମାନଙ୍କ ମଧ୍ୟରେ ୩୭.୫ ଲକ୍ଷ ପୁରୁଷ ଓ ୩୬ ଲକ୍ଷ ମହିଳା ଭୋଟର ଅଛନ୍ତି।

ପୁରୁଲିଆ ଜିଲ୍ଲାର ୯ଟି, ପୂର୍ବ ମେଦିନିପୁର ଜିଲ୍ଲାର ୭ଟି, ପଶ୍ଚିମ ମେଦିନିପୁର ଜିଲ୍ଲାର ୬ଟି, ଝାରଗ୍ରାମ ଓ ବାଙ୍କୁରା ଜିଲ୍ଲାରୁ ୪ଟି ଲେଖାଏ ଆସନ ପାଇଁ ମତଦାନ ହେଉଛି। ଏହି ଆସନ ମଧ୍ୟରୁ ୭ଟି ଆସନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହିସବୁ ଆସନରେ ଅଧିକାଂଶ ଆସନ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ସିସିଟିଭି କ୍ୟାମେରା ଲଗାଯିବା ସହ ଭିଡିଓ ରେକର୍ଡିଂ ମଧ୍ୟ କରାଯାଉଛି। ସୁରକ୍ଷା ବ୍ୟବସ୍ଥାରେ ଡିଆଇଜି, ଏସ୍‌ପିଙ୍କ ସମେତ ୭୩୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

କରୋନା ସମୟରେ ନିର୍ବାଚନ ହେଉଥିବାରୁ କୋଭିଡ୍ ଗାଇଡଲାଇନ୍‌ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୁଥ୍ ଆଗରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା ହୋଇଛି। ଏହାସହ ପୋଲିଂ ଅଫିସରମାନଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି। ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ  ନିର୍ବାଚନ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଏପ୍ରିଲ ୧ରେ ହେବ। ମେ’ ୨ରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

ମୈଦାନରେ ହେଭିୱେଟ୍‌….

ପଶ୍ଚିମବଙ୍ଗରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ କିଛି ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିମଧ୍ୟରୁ ମେଦିନିପୁର ସିଟ୍ ଉପରେ ରହିଛି ସମସ୍ତଙ୍କ ନଜର। ଏହି ସିଟ୍‌ରୁ ଟିଏମ୍‌ସି ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀ ଜୁନ୍ ମଲିହା। ଗ୍ରାମାଞ୍ଚଳ ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଟିଏମ୍‌ସି ମେଦିନିପୁର ସିଟ୍‌ରୁ ଜୁନ୍‌ଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାଙ୍କୁରାରୁ ଟିଏମ୍‌ସିରୁ ଅଭିନେତ୍ରୀ ସାୟନ୍ତିକା ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି ଦଳ। ଖଡ଼ଗପୁର ନିର୍ବାଚନ ମଣ୍ଡଳୀରୁ ଏଥର ଟିଏମ୍‌ସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଟିଏମ୍‌ସିରୁ ଦିନେନ୍ ରୟ ଓ ବିଜେପିରୁ ଏଥର ମୈଦାନକୁ ଓହ୍ଲାଇଛନ୍ତି ତପନ ଭୂୟା। ତେବେ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ସଲତୋରାରୁ ବିଜେପି ଟିକେଟ୍‌ରେ ଛିଡ଼ା ହୋଇଥିବା ଚନ୍ଦନା ବାଉରୀ। ଜଣେ ଦାଦନ ଶ୍ରମିକଙ୍କ ପତ୍ନୀ ହେଉଛନ୍ତି ଚନ୍ଦନା। ଏପରିକି ରାଜନୀତି ସହ ପୂର୍ବରୁ ସମ୍ପୃକ୍ତ ନଥିବା ସତ୍ତ୍ୱେ ଦଳ ତାଙ୍କୁ ଟିକେଟ୍ ଦେଇଛି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ଚନ୍ଦନା।

You might also like