ବଜାରକୁ ଆସିଲା ଆଣ୍ଟି କୋଭିଡ୍ ଔଷଧ 2DG : ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଡିଆରଡିଓ ଓ ଡକ୍ଟର ରେଡ୍ଡି କମ୍ପାନୀ

  • କରୋନା ମେଡିସିନ 2DG ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
  • ସ୍ୱତନ୍ତ୍ର ଉତ୍ସବରେ 2DG ହେଲା ଶୁଭାରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ
  • ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ମେଡିସନ

ନୂଆଦିଲ୍ଲୀ : ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ । କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-Deoxy-D-glucoseର ପ୍ରଚଳନ କରାଯାଇଛି । ଦିଲ୍ଲୀର ଡିଆରଡିଓ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ପ୍ରଚଳନ ଆରମ୍ଭ କରିଛନ୍ତି । ମଧ୍ୟମରୁ ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ଏହି 2-G ଔଷଧ ପ୍ରୟୋଗ  କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ପ୍ୟାକେଟ ମେଡିସିନ୍ ଛଡ଼ାଯାଇଛି । ଆଗାମୀ ସମୟରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଡିଆରଡିଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଡିଆରଡିଓ ଓ ଡକ୍ଟର ରେଡ୍ଡି ଲ୍ୟାବ୍ ପକ୍ଷରୁ ମିଳିତ ଭାବେ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ଡିଆରଡିଓର ବୈଜ୍ଞାନିକ ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଔଷଧ ବାହାର କରିଛନ୍ତି । ସକେଟରେ ଆସୁଥିବା ପାଉଡର ଆକାରରେ ଏହି ଔଷଧକୁ ପାଣିରେ ଗୋଳାଇ ପିଇ ହେବ ।

ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି, ଏହି ଔଷଧ ବ୍ୟବହାର କରିବା ପରେ କରୋନାକୁ ହରାଇବାକୁ ସ୍ୱଳ୍ପ ସମୟ ଲାଗୁଛି ଓ କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏହା ଅକ୍ସିଜେନ୍ ବ୍ୟବହାର ଉପରେ ନିର୍ଭରତାକୁ ମଧ୍ୟ ହ୍ରାସ କରାଇବ ବୋଲି କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି । ପୂର୍ବରୁ ଡିସିଜିଆଇ ଏହାର ବ୍ୟବହାରକୁ ଅନୁମତି ଦେଇଥିଲା । ଭାରତରେ ଏବେ ସଂକ୍ରମଣ ଗମ୍ଭୀର ସ୍ଥିତିରେ ଥିବା ବେଳେ ଏହି ଔଷଧ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି ।

କିପରି ପ୍ରସ୍ତୁତ ହେଲା 2DG ଔଷଧ ?
ଡିଆରଡିଓର ପରମାଣୁ ଚିକିତ୍ସା ଓ ସମ୍ମନ୍ଧ ବିଜ୍ଞାନ ସଂସ୍ଥାନ, ହାଇଦ୍ରବାଦ ସ୍ଥିତ ରେଡ୍ଡି ଲାବୋରାଟୋରୀ ସହ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରିଛନ୍ତି । ୨-ଡିଜି ଔଷଧର ଉପାଦନ ବହୁତ ସହଜ, ଏଥିପାଇଁ ସହଜରେ ସାରା ଦେଶରେ ଉପଲବ୍ଧ ହୋଇଯିବ ବୋଲି କୁହାଯାଇଛି । ଏହି ଔଷଧ ସେବନ ଦ୍ୱାରା ଏହା ଭାଇରସ୍ ପ୍ରଭାବିତ ସେଲରେ ଜମିବା ସହ ଭାଇରସର ସଂକ୍ରମଣ କ୍ଷମତାରେ ବ୍ରେକ ଲଗାଇଥାଏ ।

You might also like