ତିନି ଦିନ ଭିତରେ ଜମା କର ଟିକାକରଣର ପ୍ରମାଣପତ୍ର : ନହେଲେ ମିଳିବନି ଦରମା

ଫିରୋଜାବାଦ : ଟିକାକରଣ ପ୍ରମାଣପତ୍ର ଦାଖଲ ନକଲେ ମିଳିବନି ଦରମା । କରୋନାର ଭୟାବହତା ମଧ୍ୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ଅନେକ ସଂଖ୍ୟାରେ ଲୋକମାନେ କରୋନା ସଞ୍ଜିବନୀ ନେଇଛନ୍ତି । କିନ୍ତୁ ଫିରୋଜାବାଦର କିଛି ସରକାରୀ ବିଭାଗର କର୍ମଚାରୀମାନେ ଏବେ ସୁଦ୍ଧା ଟିକା ନେଇ ନାହାନ୍ତି । ଫଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତିନି ଦିନ ଭିତରେ ଟିକା ନେଇଥିବା ପ୍ରମାଣପତ୍ର ଜମା କର, ନହେଲେ ଦରମା ପାଇବା ଆଶା ରଖନି ବୋଲି କହିଛନ୍ତି ।

ଟିକା ନେଇନଥିବା କର୍ମଚାରୀଙ୍କୁ ଅଡୁଆ । ସରକାରୀ ବିଭାଗରେ ଅନେକ କର୍ମଚାରୀ ଟିକା ନେଇନଥିବା ସୂଚନା ପାଇଥିଲେ ଫିରୋଜାବାଦର ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂ । ଏଥିପାଇଁ ସେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ଯେଉଁ କର୍ମଚାରୀମାନେ ଏବେ ସୁଦ୍ଧା ଟିକାକରଣ କାର୍ଯ୍ୟକ୍ରମରେ ଭାଗ ନେଇ ନାହାନ୍ତି, ତାଙ୍କୁ ମାସ ଶେଷର ଦରମା ମିଳିବ ନାହିଁ ।

ଏପରି ଚିଠି ଜାରି ହେବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ହଡକମ୍ପ ସୃଷ୍ଟି ହୋଇଛି । ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରବେସନ ଅଧିକାରୀ ଡକ୍ଟର ପ୍ରଭା ଶଙ୍କର ଏକ ଚିଠିି ଜାରି କରିଛନ୍ତି । ସମସ୍ତ ସରକାରୀ କର୍ମଚାରୀ ୩ ଦିନ ଭିତରେ ନିଜର କୋଭିଡ ପ୍ରମାଣପତ୍ର ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଜମା କରିବାକୁ କୁହାଯାଇଛି । ଏହି ଚିଠି ପାଇବା ଟିକା ନେଇନଥିବା କର୍ମଚାରୀ ଭ୍ୟାକ୍ସିନେସନ ସେଣ୍ଟର ପହଞ୍ଚି ଟିକା ନେବା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଜିଲ୍ଲାରେ ଶହ ଶହ ସଂଖ୍ୟାରେ ସରକାରୀ କର୍ମଚାରୀ ଟିକା ନେଇନାହାନ୍ତି । ସରକାରୀ କର୍ମଚାରୀ ହୋଇଥିଲେ ସୁଦ୍ଧା ସେମାନେ ସଚେତନ ନୁହନ୍ତି । ସରକାରୀ କର୍ମଚାରୀ ଟିକା ନନେଲେ ସାଧାରଣ ଲୋକେ ମଧ୍ୟ ଟିକା ଉପରେ ଭରସା କରିବେ ନାହିଁ । ସାଧାରଣ ଜନତାଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଇବ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଟିକା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

You might also like