‘ଆଜାଦୀ ନିଅ’ କହି CAA ବିରୋଧୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ। ଜଣେ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ପୋଲିସ ଦୁର୍ବୃତ୍ତକୁ ଅଟକ ରଖିଛି। ଗୁଳି ଚଳାଇଥିବା ଦୁର୍ବୃତ୍ତ ନିଜକୁ ଗୋପାଳ ବୋଲି କହୁଛି । ତେବେ ପୋଲିସ ତାକୁ ଅଟକ ରଖି ପରିଚୟ ଯାଞ୍ଚ କରୁଛି ।

ସୂଚନାଥାଉ କି, ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ CAA ଓ NRC କୁ ବିରୋଧ କରି ପଦଯାତ୍ରା ଚାଲିଥିବା ବେଳେ ଦୁର୍ବୃତ୍ତ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଗୁଳିମାଡ଼ କରୁଥିବା ବ୍ୟକ୍ତି କଳା ରଙ୍ଗର ଜ୍ୟାକେଟ ଓ ଧଳା ପ୍ୟାଣ୍ଟ ପିନ୍ଧିଥିଲେ। ସେ ହାତରେ ବନ୍ଧୁକ ଧରି ଆନ୍ଦୋଳନକାରୀଙ୍କୁ ଧମକ ଦେଇ ରାସ୍ତାରେ ବେଧଡ଼କ ବୁଲୁଥିବା ଦେଖିବାକୁ ମିଳୁଛି।  ଗୁଳି ଜଣେ ବ୍ୟକ୍ତିଙ୍କ ହାତରେ ବାଜିଛି।  ତାଙ୍କୁ  ଚିକିତ୍ସା ପାଇୱ ଏମ୍ସରେ ଭର୍ତ୍ତି କରାଯାଇଛି। ଗୁଳି କରିଥିବା ବ୍ୟକ୍ତିଜଣକ ଜାମିଆର ଛାତ୍ର ନା ସାଧାରଣ ଲୋକ ତାହା ଏଯାଏ ଜଣାପଡ଼ିନାହିଁ। ତେବେ କିଛି ଟ୍ୱିଟର ବ୍ୟବହାରକାରୀ ଆହତ ଯୁବକ ଜଣଙ୍କ ଜାମିଆ ଛାତ୍ର ବୋଲି ସୂଚନା ଦେଇଛନ୍ତି।  

ପ୍ରଥମେ ସେ ଆନ୍ଦୋଳନ କରୁଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ। ସେ ବନ୍ଧୁକ ଦେଖାଇ କିଏ ଆଜାଦୀ ଚାହୁଁଛି ବୋଲି ଧମକ ଦେଇ ପ୍ରଶ୍ନ କରିଥିଲେ। ଏଥିସହ ଆନ୍ଦୋଳନକାରୀଙ୍କୁ ‘ଯିଏ ଆଜାଦୀ ଚାହୁଁଛି ମୁଁ ତା’କୁ ଆଜାଦୀ ଦେବି ’ କହୁଛନ୍ତି ଓ ପରେ ପରେ ‘ନିଅ ଆଜାଦୀ’ କହି ଗୁଳି ଚଳାଉଛନ୍ତି।

You might also like