ପଶ୍ଚିମବଙ୍ଗ ମତଦାନ କେନ୍ଦ୍ରରେ ହିଂସା; ଧାଡ଼ିରେ ଠିଆ ହୋଇଥିବା ୪ ଭୋଟରଙ୍କୁ ଗୁଳିକରି ହତ୍ୟା

କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ  ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି।   ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍‌ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଏକ ମତଦାନ କେନ୍ଦ୍ରରେ  ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ପିଟିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, CISF ପକ୍ଷରୁ ଏହି କେନ୍ଦ୍ରରେ ଫୁଟିଛି ଗୁଳି। ଫଳରେ ଭୋଟ ଦେବାକୁ ଆସିଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ତଥ୍ୟ ଅନୁସାରେ,  CISF ଉପରକୁ ଆକ୍ରମଣ ହୋଇଥିଲା। ଏହାର ପାଲଟା ଜବାବ ଦେବାକୁ ଯାଇ CISF ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କର ପରିଚୟ ଏ ଯାଏ ମିଳି ପାରିନାହିଁ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ୧୮ ବର୍ଷୀୟ ମତଦାତା ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ଜଣେ ଅଜ୍ଞାତ ଲୋକ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ।  ଉକ୍ତ ଯୁବକଙ୍କୁ ମିଶାଇ ୪ ଜଣ ଭୋଟରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ତ୍ରୁଣମୂଳ କଂଗ୍ରେସର କହିବା ଅନୁଯାୟୀ, କୁଚବିହାରରେ ସେଣ୍ଟ୍ରାଲ ଫୋର୍ସ ପକ୍ଷରୁ ଗୁଳିମାଡ ହେବା କାରଣରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥିତି ପାଇଁ ତ୍ରୁଣମୂଳ ବିଜେପିକୁ ଦାୟୀ କରିଛି। ଅନ୍ୟପକ୍ଷେ କ୍ଷମତାସୀମ ଦଳକୁ ଦାୟୀ କରିଛି ଭାଜପା। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ,ଆନନ୍ଦ ବର୍ମନ ନାମକ ଜଣେ ଯୁବକଙ୍କୁ ସିତାକୁଲ୍‌ଚିର ପଠାନତୁଲୀ ଇଲକା ୮୫ ନମ୍ବର ବୁଥ୍‌ରୁ ଘୋଷାରି ଘୋଷରି ବାହାରକୁ ଅଣାଯାଇ ଗୁଳି କରାଯାଇ ଥିଲା। ଏହାକୁ ନେଇ ଟିଏମ୍‌ସି-ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା। ମତଦାନ କେନ୍ଦ୍ର ବାହାରେ ବୋମାମାଡ ମଧ୍ୟ ହୋଇଥିଲା। ଫଳରେ ଏକାଧିକ ଲୋକ ଆହତ ହୋଇଥିଲେ। କେନ୍ଦ୍ରୀୟ ସୁରକ୍ଷା ବଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାଳନା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ଫୋର୍ସ ପଠାଯାଇଛି।

ସେହିପରି ବିଜେପି ନେତା ଲକେଟ ଚାଟାର୍ଜିଙ୍କ କାର ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଖବର ମିଳିଛି। ହୁଗୁଳିରେ ସ୍ଥାନୀୟ ଲୋକେ ତାଙ୍କ କାର ଉପରକୁ ଆକ୍ରମଣ କରିଥିବା ଖବର ମିଳିଛି।

ଏଠି କହିରଖିବୁ,  ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ  ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଭୋଟିଂ ବେଳେ ପୂର୍ବ ମେଦିନାପୁର ଜିଲ୍ଲାର ସତସତମଲ ଓ ଭଗବାନପୁର ନିର୍ବାଚନମଣ୍ଡଳୀ ବୁଥ୍‌ରେ ହିଂସାକାଣ୍ଡ ହୋଇଥିଲା। ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ଆଜି ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି।  ସକାଳ ୭ଟାରୁ ଆରମ୍ଭ ହୋଇଛି   ଭୋଟଗ୍ରହଣ।  ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୧୧, ହୁଗଲିର ୧୦, ହାଓଡ଼ାର ୯, କୁଚବିହାରର ୯ ଓ ଆଲିପୁରଦ୍ୱାରର ୫ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଏଥର ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏକ କୋଟି ୧୫ ଲକ୍ଷରୁ ଅଧିକ ଭୋଟର । ୧୫ ହଜାର ୯୪୦ଟି ମତଦାନ କେନ୍ଦ୍ରରେ ଭୋଟ୍ ଚାଲିଥିବାବେଳେ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଚତୁର୍ଥ ପର୍ଯ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିେଓ୍ୱଟ୍ ନେତା। ବରିଷ୍ଠ ଟିଏମ୍‌ସି ନେତା ତଥା ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ, ଉତ୍ତର ବେଙ୍ଗଲ ଉନ୍ନୟନ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଏବଂ ୩ ଜଣ ବିଜେପି ସାଂସଦ ରହିଛନ୍ତି।

ଆସନସୋଲ ଏମ୍‌ପି ବାବୁଲ ସୁପ୍ରିୟୋ ଟଲିଗଂଜରୁ ପ୍ରାର୍ଥୀ ହୋଇଥିବା ବେଳେ, କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସଙ୍କ ସହ ତାଙ୍କ କଡା ଟକ୍କର ହେବ । ସେପଟେ ହୁଗୁଳି ସାଂସଦ ଲକେଟ୍ ଚାଟାର୍ଜୀ ଚୀନସୁରାରୁ ଏବଂ କୁଚବିହାର ସାଂସଦ ନିଶିଥ ପ୍ରମାଣିକ ଦିନହାଟରୁ ଲଢୁଛନ୍ତି । ଅନ୍ୟପକ୍ଷରେ ଜମି ଅଧିଗ୍ରହଣ, ଜମି ଫେରାଇବା ଓ ଶିଳ୍ପାୟନକୁ ନେଇ ଦୁଇ ଦଶନ୍ଧି ଧରି ଚର୍ଚ୍ଚାରେ ରହି ଆସିଥିବା ସିଙ୍ଗୁର ଆସନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ । ପୂର୍ବତନ ଟିଏମ୍‌ସି  ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଏଠାରୁ ବିଜେପି ଟିକେଟରେ ଲଢୁଛନ୍ତି।

You might also like